Oil prices dropped 30% Sunday after Saudi Arabia announced it would boost production and cut prices.
ନୂଆଦିଲ୍ଲୀ,୨୭।୪: ଅଶୋଧିତ ତେଲ ଦର ଏବେ ନକାରାତ୍ମକ ସ୍ତରରେ ରହିଛି। ଚାଦିଦା କମିଥିବାରୁ ଏବେ କେହି ତେଲ ନେଉନାହାନ୍ତି। ଫଳରେ ଜାହାଜଗୁଡିକରେ ତେଲ ଭର୍ତ୍ତି ହୋଇ ରହିଛି। ତେଲ ରଖିବାକୁ ଏବେ ଜାଗା ନ ଥିବା ବେଳେ ଉତ୍ପାଦନ ଜାରି ରହିଥିବାରୁ ଏହାକୁ କେଉଁଠାରୁ ରଖିବେ ସେ ନେଇ ଉତ୍ପାଦନକାରୀ ବେଶି ଚିନ୍ତିତ ହୋଇପଡିଛନ୍ତି। ଏଣୁ ପେଟ୍ରୋଲିୟମ ଶିଳ୍ପରେ ଏବେ ଅନିଶ୍ଚିତତା ବଢୁଥିବା ଶିଳ୍ପ ବିଶେଷଜ୍ଞ କହିଛନ୍ତି। କରୋନା ଏବେ ସାରା ବିଶ୍ୱକୁ କବଳିତ କରିଥିବାରୁ ଶଟ୍ଡାଉନ ପାଇଁ କଳକାରଖାନା ବନ୍ଦ ହୋଇଛି। ଲକ୍ଡାଉନ ସ୍ଥିତି ଲାଗି ରହିଲେ ଶିଳ୍ପର ଅବସ୍ଥା ଆହୁରି ବିଗିଡିବ ବୋଲି ବିଶେଷଜ୍ଞ ଆଶଙ୍କା କଲେଣି।
ଏହି ଶିଳ୍ପରେ ଉତ୍ପାଦନ କମିଲେ ଏହାର ପ୍ରଭାବ ସିଧାସଳଖ ନିଯୁକ୍ତି, କମ୍ପାନୀ, ବ୍ୟାଙ୍କ ଏବଂ ସ୍ଥାନୀୟ ଅର୍ଥ ବ୍ୟବସ୍ଥାଗୁଡିକ ଉପରେ ପଡିବ। କମ୍ପାନୀଗୁଡିକ କର୍ମଚାରୀଙ୍କୁ ଛଟେଇ କରିବା ସହ ରିଫାଇନେରିଗୁଡିକ କିଛିଦିନ ବନ୍ଦ କରିବାକୁ ପଡିବ। ଓପେକ ଏବଂ ଏହାର ସହଯୋଗୀ ଦେଶ ସମୂହ ଉତ୍ପାଦନ ହ୍ରାସ କରିବା ଲାଗି ରାଜି ହୋଇଥିଲେ ଏହା ପରେ ଉଭୟ ଓ୍ବେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ ଏବଂ ବ୍ରେଣ୍ଟ ଅଶୋଧିତ ତେଲ ରେକର୍ଡ ସ୍ତରର ହ୍ରାସ ହୋଇଥିଲା। ଆମେରିକାରେ ଉତ୍ପାଦିତ ଅଶୋଧିତ ତେଲ ଦର ନକାରାତ୍ମକ ସ୍ଥିତିକୁ ଚାଲିଯାଇଛି। ଗତ କିଛିଦିନ ମଧ୍ୟରେ ଆମେରିକାର ପ୍ରମୁଖ ତୈଳ ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ଉତ୍ପାଦନ ୪୦% କମାଇ ଦେଇଛନ୍ତି। ତେଲ କମ୍ପାନୀଗୁଡିକ ୬ ହଜାର ତେଲ କୂପ ବନ୍ଦ କରିଦେଇଛନ୍ତି। ଫଳରେ ଆମେରିକା ଉତ୍ପାଦନ କରୁଥିବା ମୋଟ ତେଲରୁ ଦୈନିକ ୪ ଲକ୍ଷ ବ୍ୟାରେଲ ବା ୩୦% ଖସିଛି। ଆଫ୍ରିକା, ଭିଏତନାମ ଏବଂ ବ୍ରାଜିଲ ଭଳି ଦେଶ ସମାନ ନୀତି ଆପଣାଇବାକୁ ଯାଉଛନ୍ତି। ଓପେକ ଦେଶଗୁଡିକ ମଧ୍ୟ ଉତ୍ପାଦନ ପ୍ରାୟ ୨୦% କମ୍ କଲେ। ଏଭଳି ସ୍ଥିତିରେ ଆଗାମୀ ଦିନରେ ରିଫାଇନେରିଗୁଡିକ ଶଟ୍ଡାଉନ ହେବ ବୋଲି କୁହାଯାଉଛି।