NELSON, NEW ZEALAND - NOVEMBER 05: Blair Tickner of New Zealand celebrates with teammates after dismissing James Vince of England during game three of the Twenty20 International series between New Zealand and England at Saxton Field on November 05, 2019 in Nelson, New Zealand. (Photo by Gareth Copley/Getty Images)
ନେଲସନ, ୫।୧୧- ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷରେ ମଙ୍ଗଳବାର ଏଠାରେ ଖେଳାଯାଇଥିବା ୩ୟ ଟି୨୦ ମ୍ୟାଚକୁ ନ୍ୟୁଜିଲାଣ୍ଡ ୧୪ ରନରେ ଜିତିନେଇଛି। ଏଥିସହ ୫ ମ୍ୟାଚ୍ବିଶିଷ୍ଟ ସିରିଜରେ ଘରୋଇ ନ୍ୟୁଜିଲାଣ୍ଡ ୨-୧ରେ ଅଗ୍ରଣୀ ଲାଭ କରିଛି। ପୂର୍ବରୁ ସିରିଜର ପ୍ରଥମ ମ୍ୟାଚ୍କୁ ଇଂଲଣ୍ଡ ୭ ଉଇକେଟ୍ରେ ଜିତିଥିଲା। ତେବେ ଦ୍ୱିତୀୟ ମ୍ୟାଚ୍କୁ ୨୧ ରନରେ ଜିତି ନ୍ୟୁଜିଲାଣ୍ଡ ବରାବର୍ସ୍ଥିତିକୁ ଆସିଥିଲା। ସିରିଜର ୪ର୍ଥ ମ୍ୟାଚ୍ ଶୁକ୍ରବାର ନାପିଅରରେ ଖେଳାଯିବ।
ସ୍ଥାନୀୟ ସାକ୍ସଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ୩ୟ ଟି୨୦ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଅଧିନାୟକ ଟିମ୍ ସୌଦୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରାରମ୍ଭରୁ ଦଳ ବିସ୍ଫୋରକ ବ୍ୟାଟ୍ସମ୍ୟାନ କଲିନ୍ ମୁନରୋ (୬ ରନ)ଙ୍କ ଉଇକେଟ୍ ହରାଇଥିଲା। କିନ୍ତୁ ମଧ୍ୟକ୍ରମରେ କଲିନ୍ ଡି ଗ୍ରାଣ୍ଡହୋମଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମିଳିତ ବ୍ୟାଟିଂ ସଫଳତା ବଳରେ ଘରୋଇ ଦଳ ୨୦ ଓଭରରେ ୭ ଉଇକେଟ୍ ହରାଇ ୧୮୦ ରନ ସଂଗ୍ରହ କରିଥିଲା। ଗ୍ରାଣ୍ଡହୋମ୍ ୩୫ ବଲରୁ ୫ ଚୌକା ଓ ୩ ଛକା ସହାୟତାରେ ୫୫ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓପନର୍ ମାର୍ଟିନ ଗୁପଟିଲ ୩୩, ରସ୍ ଟେଲର ୨୭, ଜେମ୍ସ ନିଶାମ ୨୫, ମିଚେଲ ସାଣ୍ଟନର ୧୫ ରନ କରିଥିଲେ। ଇଂଲଣ୍ଡ ପକ୍ଷରୁ ଟମ୍ କୁରାନ ୨ଟି ଏବଂ ସାମ୍ କୁରାନ, ଶକିବ ମହମ୍ମଦ, ପ୍ୟାଟ୍ରିକ ବ୍ରାଉନ ଓ ମାଥ୍ୟୁ ପାର୍କିଶନ ଗୋଟିଏ ଲେଖାଏ ଉଇକେଟ୍ ନେଇଥିଲେ। ଜବାବରେ ୧୮୧ ରନର ଲକ୍ଷ୍ୟକୁ ପିଛା କରିଥିବା ଇଂଲଣ୍ଡ ଏକଦା ୧୫ ଓଭରରେ ୨ ଉଇକେଟ୍ ହରାଇ ୧୩୯ ରନ କରି ସୁବିଧାଜନକ ସ୍ଥିତିରେ ରହିଥିଲା। ଶେଷ ୩୦ ବଲରୁ ବିଜୟ ପାଇଁ ଦଳକୁ ୪୨ ରନ ଆବଶ୍ୟକ ହେଉଥିଲା। କିନ୍ତୁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଦଳ ୨୦ ଓଭରର ୭ ଉଇକେଟ ହରାଇ ୧୬୬ ରନ କରିବାକୁ ସମର୍ଥ ହୋଇଥିଲା। ଇଂଲଣ୍ଡର ପ୍ରାରମ୍ଭିକ ୪ ବ୍ୟାଟ୍ସମ୍ୟାନ ଟମ୍ ବାଣ୍ଟନ (୧୮), ଡେଭିଡ ମଲାନ (୫୫), ଜେମ୍ସ ଭିନିକ (୪୯) ଓ ଅଧିନାୟକ ଇଅନ ମୋର୍ଗାନ (୧୮)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇପାରି ନ ଥଲେ। ବିଜୟୀ ଦଳ ପକ୍ଷରୁ ଲୋକି ଫର୍ଗୁଶନ ଓ ବ୍ଲେୟାର ଟିକ୍ନର ୨ଟି ଲେଖାଏ ଉଇକେଟ୍ ନେଇଥିଲେ। ଗ୍ରାଣ୍ଡହୋମ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।