Categories: ଅନୁଗୋଳ

ତହସିଲଦାରଙ୍କ ସମେତ ୧୭ ପଦବୀ ଖାଲି: ତାଳଚେରବାସୀ ଭୋଗୁଛନ୍ତି ଅସୁବିଧା

ତାଳଚେର,୫ା୬(ନି.ପ୍ର.)- ତାଳଚେର ଶିଳ୍ପାଞ୍ଚଳ ତହସିଲ ଅଫିସରେ ତହସିଲଦାର ପଦବୀ ସମେତ ଅନେକ ପଦବୀ ଖାଲି ପଡିଛି। ଫଳରେ ତହସିଲ କାର୍ଯ୍ୟରେ ସମସ୍ୟା ଦେଖାଦେଇଛି। ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ଜନସାଧାରଣ ବାରମ୍ବାର ଆସୁଥିଲେ ବି ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
୧୯୬୩ରେ ସ୍ଥାପିତ ଏହି ତହସିଲ ଉପରେ ପ୍ରଥମେ ତାଳଚେର ବ୍ଲକ, କଣିହାଁ ବ୍ଲକ ସମେତ ତାଳଚେର ପୌରାଞ୍ଚଳବାସୀ ନିର୍ଭର କରୁଥିଲେ। କଣିହଁାରେ ତହସିଲ ଖୋଲିବା ପରେ ତାଳଚେର ବ୍ଲକର ୨୧ ପଞ୍ଚାୟତ ଓ ପୌରାଞ୍ଚଳର ୨୧ଟି ୱାର୍ଡବାସୀ ତାଳଚେର ତହସିଲ ଉପରେ ନିର୍ଭର କରୁଛନ୍ତି। ତେବେ ଗତ ଫେବୃୟାରୀରୁ ଏଠାରେ ତହସିଲଦାର ପଦବୀ ଖାଲି ପଡିଛି। ଏଠାରେ ଥିବା ତହସିଲଦାର ସାଫଲ୍ୟମଣ୍ଡିତ ପ୍ରଧାନଙ୍କ ଢେଙ୍କାନାଳ ଉପଜିଲାପାଳ ଭାବେ ପଦୋନ୍ନତି ପରଠାରୁ ଏଠାରେ ଆଉ କାହାରିକୁ ନିଯୁକ୍ତି ଦିଆଯାଇ ନାହିଁ। ସେହିପରି ବଡବାବୁ ପଦବୀରେ କେହି ନ ଥିବା ବେଳେ ରେଭିନ୍ୟୁ ଇନ୍ସପେକ୍ଟର ୨, ସିନିୟର କିରାଣି ୧, ସହକାରୀ ରେଭେନ୍ୟୁ ଇନ୍ସପେକ୍ଟର ୧, ପ୍ରୋସେସ ସର୍ଭର ୫, ପିଅନ ୭ଟି ପଦବୀ ଖାଲି ପଡିଛି। ଜଣେ ଅତିରିକ୍ତ ତହସିଲଦାର, ୬ଜଣ କିରାଣି ଓ ୩ଜଣ ପିଅନ ଏବେ କାର୍ଯ୍ୟ କରୁଛନ୍ତି। ଜଣେ କିରାଣିଙ୍କ ହାତରେ ୩/୪ଟି ବିଭାଗର ଦାୟିତ୍ୱ ରହିଛି। ଏଭଳି ପରିସ୍ଥିତିରେ କାର୍ଯ୍ୟ କିଭଳି ହେଉଥିବ ତାହା ସ୍ପଷ୍ଟ ଅନୁମେୟ। ସାଧାରଣତଃ ମ୍ୟୁଟେସନ, ଓଏଲଆର, ପାର୍ଟିସନ, ଘରବାଡି, ଜବରଦଖଲ, ଲିଜ୍‌ ସମେତ ବର୍ଷକୁ ୫/୬ ହଜାର କେସ୍‌ ଏଠାକୁ ବିଚାର ପାଇଁ ଆସିଥାଏ। ଏହା ବ୍ୟତୀତ ଅନ୍ୟାନ୍ୟ କାମ ରହିଛି। ଅତିରିକ୍ତ ତହସିଲଦାର ତହସିଲ ଅଫିସ ସମେତ ଏବେ ସବ୍‌ରେଜିଷ୍ଟ୍ରାର ଦାୟିତ୍ୱରେ ରହିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ବେଳେ ତାଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱ ନିର୍ବାହ କରିବାକୁ ପଡୁଛି। ତେଣୁ ଅନେକ ସମୟରେ ତାଙ୍କର ଅନୁପସ୍ଥିତି ଯୋଗୁ ଜନସାଧାରଣ ଅସୁବିଧା ଭୋଗ କରୁଛନ୍ତି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ସଚ୍ଚିଦାନନ୍ଦ ବେହେରା କହିଛନ୍ତି, ଅନେକ ପଦବୀ ଖାଲି ପଡ଼ିଛି। ଜଣେ କିରାଣି ଏବେ ୩/୪ ବିଭାଗ କାମ ତୁଲାଉଥିବାରୁ ଅସୁବିଧା ଉପୁଜୁଛି।