Categories: ଅନୁଗୋଳ

ଡିଏଲ୍‌ଆର କର୍ମଚାରୀ, ସଫେଇ କର୍ମଚାରୀଙ୍କ ଆନ୍ଦୋଳନ: ନୋଟିସ୍‌ ପଠାଇଲା ପୌରସଂସ୍ଥା

ଅନୁଗୋଳ ଅଫିସ, ୨୬ା୧୦ – ଆନ୍ଦୋଳନକୁ ଓହ୍ଲାଇଛନ୍ତି ପୌରପାଳିକାର ସଫେଇ କର୍ମଚାରୀ। ୧୦ ଡିଏଲ୍‌ଆର ସଫେଇ କର୍ମଚାରୀଙ୍କ ସହ ଠିକା ସଂସ୍ଥାର ୧୩୦ ସଫେଇ କର୍ମଚାରୀ ଶୁକ୍ରବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରିଛନ୍ତି। ଫଳରେ ସହର ସଫେଇ ଏକ ରକମର ଠପ୍‌ ହୋଇଯାଇଛି।
ସଫେଇ କର୍ମଚାରୀମାନେ ଗୁରୁବାର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ଦରମାରୁ କଟାଯାଉଥିବା ଇପିଏଫ ଓ ଇଏସ୍‌ଆଇ ଟଙ୍କା ଠିକା ସଂସ୍ଥା ଜମା କରୁ ନ ଥିବା ଅଭିଯୋଗ କରିଥିଲେ। ଏହାର ତର୍ଜମା କରାଯିବ ବୋଲି ନିର୍ବାହୀ ଅଧିକାରୀ ସଫେଇ କର୍ମଚାରୀଙ୍କୁ କହିଥିଲେ। ଏହାପରେ ଠିକା ସଂସ୍ଥାକୁ କାଢ଼ି ସେମାନଙ୍କୁ ଅଳିଆ ସଫା କରିବାକୁ ଠିକା ଦେବାକୁ ସଫେଇ କର୍ମଚାରୀମାନେ ଦାବି କରିଥିଲେ। କିନ୍ତୁ ସରକାରଙ୍କ ନିୟମ ଉଲ୍ଲଂଘନ କରୁଥିବାରୁ ଏପରି ହୋଇପାରିବ ନାହିଁ ବୋଲି ନିର୍ବାହୀ ଅଧିକାରୀ କହିବା ପରେ ବୈଠକ ଛାଡ଼ି ସଫେଇ କର୍ମଚାରୀମାନେ ପଳାଇ ଯାଇଥିଲେ। ଏ ନେଇ ସଫେଇ କର୍ମଚାରୀମାନେ କହିଛନ୍ତି, ବିଭିନ୍ନ ସମୟରେ ପ୍ରାପ୍ୟ ବକେୟା ରଖାଯାଉଛି। ସରକାରଙ୍କ ବର୍ଦ୍ଧିତ ମଜୁରି ଲାଗୁ ହେଲେ ମଧ୍ୟ ତାହା ଦିଆଯାଉ ନାହିଁ। ପୋଷାକ ଓ ସଫେଇ ପାଇଁ ଅନ୍ୟାନ୍ୟ ଜିନିଷ, ପରିଚୟପତ୍ର ପ୍ରଦାନ କରାଯାଉ ନାହିଁ। ଅନ୍ୟପକ୍ଷରେ ପୌର ସଂସ୍ଥାର ୧୦ ଜଣ ଡିଏଲ୍‌ଆର କର୍ମଚାରୀ ମଧ୍ୟ ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏ ନେଇ ପୌରନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ଆଲୋଚନା ପାଇଁ ସଫେଇ କର୍ମଚାରୀଙ୍କୁ ଡକାଯାଇଥିଲା। ସେମାନେ ଅଧାରୁ ଉଠି ଚାଲିଯିବା ସହ ଶୁକ୍ରବାର ଠାରୁ କାର୍ଯ୍ୟବନ୍ଦ କରିଛନ୍ତି। ଏ ନେଇ ଠିକା ନେଇଥିବା ଏଲ୍‌ ଆଣ୍ଡ ଟିକୁ ଚିଠି ନଂ-୮୮୧୯/୨୫ା୧୦ା୨୦୧୯ରେ ନୋଟିସ କରାଯାଇଛି। ଡିଏଲ୍‌ଆର କର୍ମଚାରୀଙ୍କୁ ମଧ୍ୟ ଚିଠି ନଂ ୮୭୯୫/୨୫ା୧୦ା୨୦୧୯ରେ ନୋଟିସ ହୋଇଛି। ନୋଟିସ ପାଇବାର ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ନ ଦେଲେ ପୌର ନିୟମ ଅନୁଯାୟୀ କାର୍ଯ୍ୟରୁ ଅନ୍ତର କରାଯିବ ବୋଲି ନିର୍ବାହୀ ଅଧିକାରୀ ପଣ୍ଡା ଚିଠିରେ ଦର୍ଶାଇଛନ୍ତି। ଏ ନେଇ ଶନିବାର ଜିଲାପାଳଙ୍କ ସହ ଆଲୋଚନା କରାଯିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି।