Categories: Home Leftଖେଳ

ଡାକ୍ତରଖାନାରେ ମୃତ୍ୟୁସହ ସଂଗ୍ରାମ କରୁଥିଲେ ଝିଅ, ଏପଟେ ପଡିଆରେ କ୍ରିକେଟ ଖେଳିବାକୁ ଓହ୍ଲାଇଲେ ପିତା

ଲଣ୍ଡନ, ୨୦।୫: ଡାକ୍ତରଖାନାରେ ୨ବର୍ଷର ଝିଅ ମୃତ୍ୟୁ ସହ ସଂଗ୍ରାମ କରୁଥିଲାବେଳେ ଏପଟେ ବ୍ୟାଟ ଧରି ପଡିଆକୁ ଓହ୍ଲାଇ ଖେଳୁଆଡ ମନୋଭାବର ପରିଚୟ ଦେଇଛନ୍ତି ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ଆସିଫ୍‌ ଅଲ୍ଲୀ। ଆସିଫଙ୍କ ଦୁଇବର୍ଷର ଝିଅ ତୁର୍‌ ଫାତିମା କ୍ୟାନସରରେ ପୀଡିତ ହୋଇ ଆମେରିକାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କ୍ୟାନସରର ଶେଷ ପର୍ଯ୍ୟାୟରେ ଥିବାରୁ ସୋମବାର ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ରବିବାର ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟ ଖେଳାଯାଉଥିବା ଏକଦିବସୀୟ ସିରିଜର ଶେଷ ମ୍ୟାଚ୍‌ ଥିଲା। ପାକିସ୍ତାନ ଟିମ୍‌ରେ ସାମିଲ୍‌ ହୋଇ ମ୍ୟାଚ୍‌ ଖେଳିଥିଲେ ଆସିଫ୍‌। ଯଦିଓ ଏହି ମ୍ୟାଚ୍‌ରେ ଆସିଫ୍‌ ସେତେଟା ଭଲ ପ୍ରଦର୍ଶନ କରିପାରି ନ ଥିଲେ, କିନ୍ତୁ ଖେଳୁଆଡ ମନୋଭାବ ପାଇଁ ତାଙ୍କୁ ପ୍ରଶଂସା କରାଯାଉଛି। ଉକ୍ତ ମ୍ୟାଚରେ ଆସିଫ ୧୭ଟି ବଲରୁ ସେ ୨୨ରନ୍‌ରେ ଆଉଟ ହୋଇଥିଲେ। ଇଂଲଣ୍ଡଠାରୁ ପାକିସ୍ତାନ ୫୪ରନରେ ପରାସ୍ତ ହୋଇଥିଲା। ଝିଅର ଅକାଳ ମୃତ୍ୟୁ ପରେ ସେ ପାକିସ୍ତାନ ଫେରି ପୁଣି ବିଶ୍ୱକପ୍‌ ଖେଳିବା ପାଇଁ ଇଂଲଣ୍ଡ ଯାତ୍ରା କରିବେ। ସୂଚନାଯୋଗ୍ୟ, ଗତ ମାସରେ ତୁର୍‌ ଫାତିମା କ୍ୟାନସରରେ ପୀଡିତ ଥିବା କଥା ନିଜ ଟୁଇଟରରେ ଘୋଷଣା କରିଥିଲେ ଆସିଫ୍‌।