ଠିକ୍‌ ସମୟରେ ମୌସୁମୀ: ଚଳିତବର୍ଷ ସ୍ବାଭାବିକ ବର୍ଷା

ନୂଆଦିଲ୍ଲୀ,୧।୬: ସୋମବାର କେରଳରେ ମୌସୁମୀ ପହଞ୍ଚିଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ପୂର୍ବରୁ ଜୁନ୍‌ ୧ରେ ମୌସୁମୀ କେରଳ ଛୁଇଁବ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଯୋଗୁ ଦକ୍ଷିଣ ଭାରତରେ ଏବେ ବର୍ଷାର ପଦଧ୍ୱନି ଦେଖିବାକୁ ମିଳିଛି। କେରଳର ବିଭିନ୍ନ ଅଞ୍ଚଳରେ ଆଚ୍ଛାଦିତ ବର୍ଷା ଜାରି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି। ଏବେ ସୁଦ୍ଧା କୋଝିକୋଡେରେ ୯ ସେଣ୍ଟିମିଟର, ଭଡ଼କରାରେ ୧୫ ସେଣ୍ଟିମିଟର, ତ୍ରିଭେନ୍ଦ୍ରମରେ ୬ ସେଣ୍ଟିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ମେ ୨୮ରେ ସୋମବାର କେରଳରେ ମୌସୁମୀ ପହଞ୍ଚିବ ବୋଲି ଆଇଏମ୍‌ଡି ପକ୍ଷରୁ ଆକଳନ କରାଯାଇଥିଲା। ତାହା ସତ୍ୟ ହୋଇଥିବା ଆଇଏମ୍‌ଡିର ଉପମହାନିର୍ଦ୍ଦେଶକ ଆନନ୍ଦ କୁମାର ଶର୍ମା ପ୍ରକାଶ କରିଛନ୍ତି।
କେରଳରେ ମୌସୁମୀ ପହଞ୍ଚିବା ସହ ବର୍ଷାଦିନର ଆଗମନ ହୋଇଛି। ଏବେ ମୌସୁମୀର ସ୍ଥିତି ଭଲ ଥିବାରୁ ଚଳିତ ବର୍ଷ ସ୍ବାଭାବିକ ବର୍ଷା ହେବାର ସମ୍ଭାବନା ରହିଥିବା ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ସେପ୍ଟେମ୍ବର ସୁଦ୍ଧା ଦେଶରେ ବର୍ଷାର ସ୍ଥିତି ଶତ ପ୍ରତିଶତ ରହିବ ବୋଲି ସେ ପ୍ରକାଶ କରିଛନ୍ତି। ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ ବର୍ଷାର ଆବଶ୍ୟକତା ଏଠାରେ ଯଥେଷ୍ଟ ରହିଛି। ଦେଶରେ ୫୦% କୃଷିକ୍ଷେତ୍ର ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ। ଧାନ, ମକା, ତୁଳା, ସୋୟାବିନ୍‌ ଆଦି ଚାଷ ଲାଗି ମୌସୁମୀ ବର୍ଷାର ବେଶ୍‌ ଆବଶ୍ୟକତା ରହିଛି। ୨୦୨୦ ମେ ମାସରେ ସ୍ବାଭାବିକ ବର୍ଷା ଦେଶରେ ହେବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଥିଲା। ଏବେ କେରଳରେ ମୌସୁମୀ ପହଞ୍ଚିବା ଓ ସ୍ବାଭାବିକ ବର୍ଷାର ସମ୍ଭାବନା ଥିବା ଚାଷୀକୁଳଙ୍କ ମୁହଁରେ ହସ ଆଣିଦେଇଛି। ଏହା କୃଷି ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ସହାୟକ ହେବ ବୋଲି କୁହାଯାଉଛି। ଜୁନ୍‌ ୧୦ ବେଳକୁ ପୂର୍ବ ଭାରତରେ ମୌସୁମୀ ପହଞ୍ଚିବାର ସମ୍ଭାବନା ରହିଥିବା କୁହାଯାଇଛି।

Share