FILE PHOTO: Traffic jam is seen as the banks of the Seine river are closed to the traffic in Paris, France, October 26, 2016 . REUTERS/Charles/File Photo
କଟକ ରୋଡ,୨୯।୭(ଡି.ଏନ୍.ଏ.) : ରାଜଧାନୀର ଅଧିକାଂଶ ଅଞ୍ଚଳରେ ଟ୍ରାଫିକ ଜାମ ସମସ୍ୟା ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। ଯାନବାହନ ସୁରୁଖୁରରେ ଯାତାୟାତ ପାଇଁ ରାସ୍ତା ସମ୍ପ୍ରସାରଣ କରାଯାଇଛି। ରାସ୍ତାରେ ଗାଡିମୋଟର ବେଆଇନ ପାର୍କିଂ ପରିସ୍ଥିତିକୁ ଜଟିଳ କରିଛି। ଏଭଳି ଘଟଣାକ୍ରମେ ଭୁବନେଶ୍ୱରରେ ଏକ ପ୍ରମୁଖ ଜନଗହଳି ଅଞ୍ଚଳ କୁହାଯାଉଥିବା କଟକ ରୋଡରେ ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡିଛି। ରାସ୍ତାରେ ଗାଡି ପାର୍କିଂ ଯୋଗୁ ଲୋକେ ଯାତାୟାତର ଅସୁବିଧା ଭୋଗୁଛନ୍ତି। ବର୍ଷାଧିକକାଳ ଏଭଳି ଅବ୍ୟବସ୍ଥା ଲାଗି ରହିଥିଲେ ମଧ୍ୟ କମିଶନରେଟ ପୋଲିସ କିମ୍ବା ଟ୍ରାଫିକ ବିଭାଗ ଦୃଷ୍ଟି ଦେଉନାହିଁ। ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ଅଟୋଚାଳକ ରାସ୍ତା ଜାମ କରି ଗହଳି ଅଧିକ ବଢାଉଛନ୍ତି। ପୁରୁଣା ଷ୍ଟେଶନ ବଜାର ଛକରେ ଏହି ସମସ୍ୟା ରହିଥିଲେ ମଧ୍ୟ ଉକ୍ତ ପୋଷ୍ଟରେ ରହୁଥିବା କର୍ମଚାରୀ ଜାଣି ନ ଜାଣିବା ଭଳି ଅଭିନୟ କରିବା ନିତିଦିନିଆ ହୋଇଛି। ଲକ୍ଷ୍ମୀସାଗର ଟ୍ରାଫିକ ଛକ ସଙ୍କୁଚିତ ହୋଇ ପଡୁଥିବା ଲକ୍ଷ୍ୟ ରଖି ୨୦୧୫ ରେ ଏହି ଛକକୁ ଓସାର କରାଯାଇ ସ୍ଥାନ ବଢାଯାଇଥିଲା। ରାସ୍ତା ଓ ଛକ ସମ୍ପ୍ରସାରଣ ପରେ ଏଠାରେ ବେଆଇନ ପାର୍କିଂ ଲୋକଙ୍କୁ ନାକେଦମ କରିଛି। ଛକ ନିକଟରେ ଏକ ଘରୋଇ ହସ୍ପିଟାଲ, ବ୍ୟାଙ୍କ ସହ ବ୍ୟବସାୟ ପ୍ରତିଷ୍ଠାନ ଥିବା ବେଳେ ପାର୍କିଂ ବ୍ୟବସ୍ଥା ନ ଥିବା ହେତୁ ଟ୍ରାଫିକ ଛକରେ ୪ଚକିଆ ଯାନ ରାସ୍ତା ଅବରୋଧ କରୁଛନ୍ତି। ଝାରପଡ଼ା ଓଭରବ୍ରିଜ ଛକରୁ ଲକ୍ଷ୍ମୀସାଗର ଗ୍ରାମକୁ ଯିବାକୁ ଥିବା ୟୁ ଟର୍ନ ସମ୍ପୂର୍ଣ୍ଣ କବ୍ଜା ହେବା ଫଳରେ ଅନେକ ସମୟରେ ଅଗ୍ନିଶମ ଗାଡି, ଆମ୍ବୁଲାନ୍ସ, ସ୍କୁଲ ବସ ଆଦି ସଙ୍କୁଚିତ ରାସ୍ତାରେ ଅତିକ୍ରମ କରିବା କଷ୍ଟସାଧ୍ୟ ହେଉଛି। ଏପରିକି ରାସ୍ତା ଉପରେ ଲୋକେ ଲକ୍ଷ୍ମୀସାଗର, ଝାରପଡ଼ା, ଜିଜିପି କଲୋନୀ, ରସୁଲଗଡ଼ ଆଦି ଅଞ୍ଚଳକୁ ଯିବା ପାଇଁ ନିର୍ଭରଶୀଳ ହୋଇଥିବା ବେଳେ ସବୁ ସମୟରେ ଛକ ସ୍ଥାନକୁ ଗାଡି ଚାଳକ ମାଡି ବସିବା ଅସନ୍ତୋଷ ଦେଖାଯାଇଛି। ଟ୍ରାଫିକ ଛକ ସହ ୟୁ ଟନର୍ର୍ ରାସ୍ତା ବନ୍ଦ ହେବା ନେଇ ପୋଷ୍ଟରେ ଡିୟୁଟିରେ ଥିବା ଜଣେ କର୍ମଚାରୀ କୁହନ୍ତି, ୟୁ ଟନର୍ର୍ରେ ଗାଡି ନ ରଖିବା ପାଇଁ ବାରମ୍ବାର କହୁଛୁ। କିନ୍ତୁ ଲୋକେ ଶୁଣୁନାହାନ୍ତି। ଏପରିକି ରାସ୍ତା ମଝିରେ ଟ୍ରାଫିକ ପୋଷ୍ଟ ରହିବା ସହ ମେଡିଆନ ନ ରହିବା ଫଳରେ ପ୍ରାୟ ସମୟରେ ଲୋକେ ରଙ୍ଗ ରୁଟରେ ଯାଉଛନ୍ତି। କଟକ ରୋଡ ସହ ଏକାଧିକ ଛକ ସ୍ଥାନ ଅବରୋଧ ହେଉଥିବା ଟ୍ରାଫିକ କର୍ତ୍ତୃପକ୍ଷ ତଥା ସ୍ଥାନୀୟ ପୋଲିସ ଜାଣି କାହିଁକି ପଦକ୍ଷେପ ନେଉନାହିଁ ତାହା ମୁଖ୍ୟ ପ୍ରସଙ୍ଗ ହୋଇଛି। ଏ ସମ୍ପର୍କରେ ଟ୍ରାଫିକ ଏସିପି କିଶୋର କୁମାର ପାଣିଗ୍ରାହୀ କୁହନ୍ତି, ୟୁ ଟନର୍ର୍ ଅବରୋଧ ହେଉଥିବା ବାବଦରେ ଅନୁଧ୍ୟାନ କରିବା ସହ କିଭଳି ଲୋକେ ସେଠାରେ ଯିବା ଆସିବାରେ ଅସୁବିଧା ନ ହେବେ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।