West Indies players hold the trophy after winning the third day of the only cricket Test match between Afghanistan and West Indies at the Ekana Cricket Stadium in Lucknow on November 29, 2019. (Photo by Rohit UMRAO / AFP) (Photo by ROHIT UMRAO/AFP via Getty Images)
ଲକ୍ଷ୍ନୌ,୩୦।୧୧(ପି.ଟି.)- ଏଠାରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜ୍ ଶୁକ୍ରବାର ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଓ୍ବେଷ୍ଟଇଣ୍ଡିଜ ଅଫ୍ ସ୍ପିନର ରାଖିମ କର୍ନଓ୍ବାଲ କ୍ୟାରିୟର ଶ୍ରେଷ୍ଠ ୧୦ ଉଇକେଟ ଅକ୍ତିଆର କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ମାତ୍ର ୩ ଦିନ ମଧ୍ୟରେ ଆଫଗାନିସ୍ତାନ ପରାସ୍ତ ହୋଇଛି।
ଟସ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଆଫଗାନିସ୍ତାନ ପ୍ରଥମ ଇନିଂସରେ ୬୮.୩ ଓଭରରେ ୧୮୭ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୮୩.୩ ଓଭରରେ ୨୭୭ ରନ କରି ଅଲଆଉଟ ହେବା ସହ ୯୦ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଆଫଗାନିସ୍ତାନ ୪୩.୧ ଓଭରରେ ୧୨୦ ରନରେ ଅଲଆଉଟ ହୋଇଥିଲା। ଫଳରେ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୩୧ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଓ୍ବେଷ୍ଟଇଣ୍ଡିଜ ୬.୨ ଓଭରରେ ମାତ୍ର ଗୋଟିଏ ଉଇକେଟ ହରାଇ ୩୩ ରନ କରି ବିଜୟୀ ହୋଇଛି। ଓପନର କ୍ରେଗ୍ ବ୍ରାଥ୍ଓ୍ବେଟ୍ ୮ ରନ କରି ଅମୀର ହମ୍ଜାଙ୍କ ବଲ୍ରେ ଉଇକେଟକିପର ଅଫ୍ସର ଜଜାଇ କ୍ୟାଚ୍ ଦେଇ ଆଉଟ ହୋଇଥିଲେ। ତେବେ ଜନ୍ କ୍ୟାମ୍ପବେଲ ୧୯ ଓ ସାଇ ହୋପ୍ ୬ ରନ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ।
ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୦୯/୭ରୁ ଖେଳ ଆରମ୍ଭ କରି ଆଫଗାନିସ୍ତାନ ଅଲଆଉଟ ହୋଇଥିଲା। ଓଭରନାଇଟ୍ ବ୍ୟାଟ୍ସମ୍ୟାନ ଜଜାଇ ୨ ରନରୁ ଖେଳ ଆରମ୍ଭ ୭ ରନକରି ଆଉଟ ହୋଇଥିଲେ। ଏହାପରେ ଅଧିନାୟକ ରସିଦ ଖାଁ ୧, ୟାମିନ୍ ଅହମ୍ମଦ ୧ ରନ କରି ଆଉଟ ହୋଇଥିବା ବେଳେ ଜାହିର ଖାଁ ବିନା ସ୍କୋରରେ ଅପରାଜିତ ରହିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ଜାସନ ହୋଲ୍ଡର, କର୍ନଓ୍ବାଲ ଓ ରୋଷ୍ଟନ ଚେଜ୍ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ପ୍ରଥମ ଇନିଂସ- ୬୮.୩ ଓଭରରେ ୧୮୭ ଅଲଆଉଟ।
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ- ୮୩.୩ ଓଭରରେ ୨୭୭ ଅଲଆଉଟ।
ଆଫଗାନିସ୍ତାନ ଦ୍ୱିତୀୟ ଇନିଂସ- ୪୩.୧ ଓଭରରେ ୧୨୦ ଅଲଆଉଟ।
ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ- ୬.୨ ଓଭରରେ ୩୩/୧।