AUCKLAND, NEW ZEALAND - FEBRUARY 08: Tom Latham, Kyle Jamieson and Jimmy Neesham of the Black Caps celebrate after winning game two of the One Day International Series between New Zealand and India at at Eden Park on February 08, 2020 in Auckland, New Zealand. (Photo by Hannah Peters/Getty Images)
ଅକଲାଣ୍ଡ,୯।୨(ପି.ଟି.)- ଟି୨୦ ସିରିଜ ପରାଜୟର ପ୍ରତିଶୋଧ ଦିନିକିଆରେ ନେଇଛି ଘରୋଇ ନ୍ୟୁଜିଲାଣ୍ଡ। ୫-୦ ବ୍ୟବଧାନରେ ଟି୨୦ ସିରିଜରେ ହ୍ବାଇଟ୍ଓ୍ବାଶ୍ର ସମ୍ମୁଖୀନ ହୋଇଥିବା ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆରେ ଭାରତକୁ ୨୨ ରନରେ ପରାସ୍ତ କରିଛି। ଏଥିସହିତ ୩ ମ୍ୟାଚ୍ବିଶିଷ୍ଟ ଏହି ସିରିଜରେ ନ୍ୟୁଜିଲାଣ୍ଡ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ସ୍ଥାନୀୟ ଇଡେନ ପାର୍କ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ଭାରତର ବୋଲିଂ ଆଶାନୁରୂପ ହୋଇଥିଲେ ମଧ୍ୟ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଦୁର୍ବଳତା ପଦାରେ ପଡିଛି। ଦୁର୍ବଳ ଶଟ ଚୟନ ଭାରତ ପାଇଁ କାଳ ହୋଇଛି। ଟସ୍ ଜିତି ଭାରତ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବୋଲରମାନେ ଏହି ନିଷ୍ପତ୍ତିର ଯଥାର୍ଥତା ପ୍ରତିପାଦନ କରି ଘରୋଇ ଦଳକୁ ବଡ଼ ସ୍କୋର କରିବାକୁ ସୁଯୋଗ ଦେଇ ନ ଥିଲେ। ନ୍ୟୁଜିଲାଣ୍ଡ ୫୦ ଓଭରରେ ୮ ଉଇକେଟ ହରାଇ ୨୭୩ ରନ ସ୍କୋର କରିଥିଲା। ଜବାବରେ ଭାରତ ୪୮.୩ ଓଭରରେ ୨୫୧ ରନକରି ଅଲଆଉଟ ହାଇଥିଲା। ଦିନିକିଆ ପଦାର୍ପଣ କରିଥିବା ୬ ଫୁଟ୍ ୮ ଇଞ୍ଚ୍ ଉଚ୍ଚତାବିଶିଷ୍ଟ ନ୍ୟୁଜିଲାଣ୍ଡ ବୋଲିଂ ଅଲରାଉଣ୍ଡର ୨୫ ବର୍ଷୀୟ କାଏଲ ଜେମିଶନ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ସେ ୨୪ ବଲରୁ ୧ ଚୌକା ଓ ୨ ଛକା ସହ ୨୫ ରନ କରି ଅପରାଜିତ ରହିବା ସହ ମୂଲ୍ୟବାନ ୨ ଉଇକେଟ ନେଇ ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପୂର୍ବରୁ ପ୍ରଥମ ଦିନିକିଆରେ ଭାରତ ୪ ଉଇକେଟରେ ପରାସ୍ତ ହୋଇଥିଲା। ତୃତୀୟ ତଥା ଅନ୍ତିମ ଦିନିକିଆ ମଙ୍ଗଳବାର ମାଉଣ୍ଟ ମାଉନଗାନୁଇରେ ଖେଳାଯିବ।
୨୭୪ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରିଥିବା ଭାରତୀୟ ଦଳ ଟପ୍ ଅର୍ଡରର ବିପର୍ଯ୍ୟୟ ଘଟିଥିଲା। ଭାରତ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ୭୧ ରନରେ ଭାରତ ତା’ର ପ୍ରଥମ ୪ ଉଇକେଟ ହରାଇଥିଲା। ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ନବଦୀପ ସଇନି ଲଢୁଆ ବ୍ୟାଟିଂ କରିଥିଲେ ମଧ୍ୟ ବିଜୟ ପାଇଁ ଏହା ଯଥେଷ୍ଟ ହୋଇ ନ ଥିଲା। ଓପନର ମୟଙ୍କ ଅଗ୍ରଓ୍ବାଲ ୩ ରନକରି ପ୍ରଥମେ ଆଉଟ ହେବା ପରେ ପୃଥ୍ବୀ ଶ ୨୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ବିରାଟ କୋହଲି ପୁଣି ଥରେ ଚକ୍ମା ଖାଇ ଅଭିଜ୍ଞ୍ୟ ଦ୍ରୁତ ବୋଲର ଟିମ୍ ସୌଦିଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ସେ ମାତ୍ର ୧୫ ରନ ସଂଗ୍ରହ କରିଥିଲେ। ଇନ୍ଫର୍ମ ଲୋକେଶ ରାହୁଲ ଦୀଘ ଦିନ ପରେ ଫେଲ ମାରିଥିଲେ। ସେ ମାତ୍ର ୪ ରନ କରିଥିବା ବେଳେ ଲାଇନ୍ ମିସ୍ କରି କଲିନ ଡି ଗ୍ରାଣ୍ଡହୋମଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। କେଦାର ଯାଦବ ମଧ୍ୟ ବିଫଳ ହୋଇ ମାତ୍ର ୯ ରନକରି ଆଉଟ ହୋଇଥିଲେ। ଶାର୍ଦ୍ଦୂଳ ଠାକୁର ୩ ଚୌକା ସହ ୧୫ ବଲରୁ ୧୮ ରନ କରି ଆଉଟ ହୋଇଥିଲେ। ଭାରତ ୨୦୦ ରନ ମଧ୍ୟରେ ଅଲଆଉଟ ହେବା ମନେହେଉଥିଲା। ତେବେ ଅଷ୍ଟମ ଉଇକେଟରେ ଜାଡେଜା ଓ ସଇନି ୭୬ ରନ କରି ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ତେବେ ସଇନି ୪୯ ବଲରୁ ୫ ଚୌକା ଓ ୨ ଛକା ସହ ୪୫ ରନ କରି ଜେମିଶନଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏହାପରେ ୧୦ ରନ କରିଥିବା ୟୁଜବେନ୍ଦ୍ର ଚହଲ ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ ହୋଇଥିଲେ। ଶେଷରେ ବଡ଼ ଶଟ୍ ଖେଳିବାକୁ ଯାଇ ଜାଡେଜା ଜିମ୍ମି ନିଶାମଙ୍କ ବଲ୍ରେ ଲଙ୍ଗ୍ଅଫ୍ରେ ଗ୍ରାଣ୍ଡହୋମଙ୍କୁ କ୍ୟାଚ୍ ଆଉଟ ହେବା ପରେ ଭାରତ ଇନିଂସର ପରିସମାପ୍ତି ଘଟିଥିଲା। ଭୁଲ ଶଟ୍ ଚୟନ କରି ଭାରତୀୟ ବ୍ୟାଟ୍ସମ୍ୟାନ ଉଇକେଟ ଫୋପାଡି ଆଉଟ ହୋଇଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ହାମିଶ ବେନେଟ, ସୌଦି, ଜେମିଶନ ଓ ଗ୍ରାଣ୍ଡହୋମ ଦୁଇଟି ଲେଖାଏ, ନିଶାମ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ଭଲ ଆରମ୍ଭ କରିଥିଲା। ଦୁଇ ଓପନର ଗୁପ୍ଟିଲ ଓ ନିକୋଲ୍ସ ପ୍ରଥମ ଉଇକେଟରେ ୯୩ ରନ ସଂଗ୍ରହ କରିଥିଲେ। ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ ଭଲ ଖେଳିଥିଲେ ମଧ୍ୟ ମିଡଲ ଓ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନ ଫେଲ ମାରିଥିଲେ। ଅଭିଜ୍ଞ ଓପନର ମାର୍ଟିନ ଗୁପ୍ଟିଲ ୭୯ ରନ କରି ରନ୍ ଆଉଟ ହୋଇଥିଲେ। ସେହିପରି ହେନେରୀ ନିକୋଲ୍ସ ୪୧, ଟମ୍ ବ୍ଲଣ୍ଡେଲ ୨୨, ଜେମିଶନ ୨୫ ରନର ଉପଯୋଗୀ ପାଳି ଖେଳିଥିଲେ। ଅଭିଜ୍ଞ ରସ୍ ଟେଲର ପୁଣିଥରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ଇନିଂସ ଗଢିଥିଲେ। ୭୪ଟି ବଲ ଖେଳି ସେ ୬ ଚୌକା ଓ ୨ ଛକା ସହ ୭୩ ରନ କରି ଶେଷପର୍ଯ୍ୟନ୍ତ ଅପରାଜିତ ରହିବା ସହ ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। ଅନ୍ୟମାନେ ବିଫଳ ହୋଇଥିଲେ। ନବମ ଉଇକେଟରେ ଟେଲର ଓ ଜେମିଶନ ୫୧ ବଲରୁ ଅପରାଜିତ ୭୬ରନ ସଂଗ୍ରହ କରିଥିଲେ। ବୋଲିଂରେ ଭାରତ ତରଫରୁ ଚହଲ ୩, ଠାକୁର ୨ ଓ ଜାଡେଜା ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ୫୦ ଓଭରରେ ୨୭୩/୮
(ଗୁପ୍ଟିଲ- ୭୯, ଟେଲର- ୭୩*, ନିକୋଲ୍ସ- ୪୧, ଜେମିଶନ- ୨୫*, ବ୍ଲଣ୍ଡେଲ-୨୨, ଚହଲ- ୩/ ୫୮, ଠାକୁର- ୨/୬୦, ଜାଡେଜା- ୧/୩୫)।
ଭାରତ ୪୮.୩ ଓଭରରେ ୨୫୧ ଅଲଆଉଟ
(ଜାଡେଜା – ୫୫, ଆୟାର- ୫୨, ସଇନି- ୪୫, ପୃଥ୍ବୀ- ୨୪, ବେନେଟ- ୨/୫୮, ସୌଦି- ୨/୪୧, ଜେମିଶନ- ୨/୪୨, ଗ୍ରାଣ୍ଡହୋମ- ୨/୫୪)।