ଟାଉନ୍‌ କ୍ଲବ ୨୬ ରନରେ ବିଜୟୀ

ଭୁବନେଶ୍ୱର, ୨।୪ (ତପନ ସ୍ବାଇଁ): ଶ୍ରୀ ଜୟଦେବ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ନହରକଣ୍ଟା ଖେଳ ପଡ଼ିଆରେ ଚାଲିଥିବା ଦିଲ୍ଲୀପ ପଣ୍ଡା ମେମୋରିଆଲ ୧୫ ବର୍ଷରୁ କମ୍‌ କ୍ରିକେଟ ଲିଗ୍‌ର ସୋମବାର ଅନୁଷ୍ଠିତ ମ୍ୟାଚରେ ଟାଉନ୍‌ କ୍ଲବ ବିଜୟୀ ହୋଇଛି। ଲୋ ସ୍କୋରିଂ ମ୍ୟାଚରେ ଟାଉନ୍‌ କ୍ଲବ ୨୬ ରନରେ କେନ୍ଦୁଝରର ବଡବିଲ୍‌ ଟାଇଗର୍ସକୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଟାଉନ କ୍ଲବ ଦଳ ୨୩ ଓଭରରେ ସମସ୍ତ ଉଇକେଟ୍‌ ହରାଇ ୧୧୫ ରନ କରିଥିଲା। ସୁମିତ ମହାପାତ୍ର ସର୍ବାଧିକ ୨୯ ଓ ସ୍ବସ୍ତି ନନ୍ଦ ୨୨ ରନ କରିଥିଲେ। ବିପକ୍ଷ ଦଳର ସରଓ୍ବନ ସାହୁ ଓ ଆୟୁଷ ସେଠୀ ୩ଟି ଲେଖାଏ, ରାଜ ଚୌଧୁରୀ ଓ ରାହୁଲ ଦେବ ନାୟକ ୨ଟି ଲେଖାଏ ଉଇକେଟ ନେଇଥିଲେ।
୧୧୬ ରନ ବିଜୟ ଲକ୍ଷ୍ୟ ନେଇ ବଡ଼ବିଲ୍‌ ଟାଇଗର୍ସ ୨୬.୨ ଓଭରରେ ୮୯ ରନକରି ଅଲ୍‌ଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଆଶୁତୋଷ କୁମାର ନାୟକ ସର୍ବାଧିକ ୧୮ ରନ କରିଥିଲେ। ବିଜୟୀ ଦଳର ବୋଲରଙ୍କ ମଧ୍ୟରେ ପ୍ରଜ୍ୟୋତ ସାମଲ ୩ଟି, ପ୍ରିୟାଂଶୁ ଦାସ ୨ଟି ଏବଂ ଶ୍ଲୋକ ସଂକଳ୍ପ, ଆୟୁଷ କୁମାର ସାହୁ, ଆୟୁଷ ଅମ୍ଳାନ ଓ ଓଁକାର ଶୁଭ ସଙ୍କେତ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପ୍ରଜ୍ୟୋତ ସାମଲ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ମ୍ୟାଚ୍‌କୁ ଶାଶ୍ୱତି ଶତପଥୀ ଓ ସନ୍ତୋଷ ପଟ୍ଟନାୟକ ପରିଚାଳନା କରିଥିଲେ। ମାନସ ରଞ୍ଜନ ମହାନ୍ତି, ବ୍ରହ୍ମାନନ୍ଦ ପଣ୍ଡା, ପୂର୍ବତନ ଖେଳାଳି ରଞ୍ଜନ ନାୟକ ଏବଂ ଗିରିଶ ଚନ୍ଦ୍ର ହୋତା ଅତିଥିଭାବେ ଯୋଗଦେଇଥିଲେ।