U.S. President Donald Trump and China's President Xi Jinping shake hands ahead of their bilateral meeting during the G20 leaders summit in Osaka, Japan, June 29, 2019. REUTERS/Kevin Lamarque
ଓସାକା,୩୦-୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଶନିବାର ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧକୁ ବନ୍ଦ କରିବା ପାଇଁ ରାଜି ହୋଇଛନ୍ତି। ଦୁଇ ନେତା ପୁନର୍ବାର କଥାବାର୍ତ୍ତା ଆରମ୍ଭ କରିବାକୁ ସହମତ ହୋଇଛନ୍ତି। ଏଥିସହିତ ଚାଇନା କମ୍ପାନୀ ହୁଆଇ ସହିତ ଆମେରିକା କମ୍ପାନୀଙ୍କ କାରବାର ଆରମ୍ଭ କରିବାକୁ ଅନୁମତି ଦିଆଯିବ ବୋଲି ଟ୍ରମ୍ପ ପ୍ରତିଶ୍ରୁତି ଦେଇଛନ୍ତି। ଦୁଇ ନେତାଙ୍କ ସହମତି ଯୋଗୁ ଦୀର୍ଘ ୧ ବର୍ଷ ଧରି ଚାଲିଥିବା ବାଣିଜ୍ୟ ଯୁଦ୍ଧର ପରିସମାପ୍ତି ଘଟିବ ବୋଲି ଆଶାକରାଯାଉଛି। ଏହାଦ୍ୱାରା ସାରା ବିଶ୍ୱ ଆଶ୍ୱସ୍ତ ହୋଇଛି। ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ଅବସରରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଚାଇନା ରାଷ୍ଟ୍ରପତି ଜିନ୍ପିଙ୍ଗ ପ୍ରାୟ ୮୦ ମିନିଟ ଧରି ବୈଠକରେ ବସିଥିଲେ। ବୈଠକ ଶେଷରେ ଟ୍ରମ୍ପ କହିଥିଲେ ଯେ, ଚାଇନା ସହିତ ବାଣିଜ୍ୟ ଆଲୋଚନାକୁ ପୁନର୍ବାର ଆରମ୍ଭ କରାଯିବ। ବୈଠକରେ ହୋଇଥିବା ଆଲୋଚନାକୁ ସେ ଚମତ୍କାର ବୋଲି ଦର୍ଶାଇଥିଲେ। ସେ କହିଥିଲେ ଯେ, ପୂର୍ବରୁ ଲାଗୁ ଟାରିଫ୍କୁ ପ୍ରତ୍ୟାହାର କରାଯିବ ନାହିଁ। କିନ୍ତୁ ଆମେରିକା ଆଗାମୀ ଦିନରେ ଚାଇନାର ଅନ୍ୟ ସାମଗ୍ରୀ ଉପରେ ଅତିରିକ୍ତ ଟାରିଫ ବୃଦ୍ଧି କରିବ ନାହିଁ। ଆମେରିକାର କୃଷିଜାତ ସାମଗ୍ରୀ ଚାଇନା କିଣିବାକୁ ରାଜି ହୋଇଛି। ଦୁଇ ଦେଶ ମଧ୍ୟରେ ଏ ସଂକ୍ରାନ୍ତରେ କୌଣସି ଚୁକ୍ତି ହେଲେ ଏହା ଐତିହାସିକ ହେବ ବୋଲି ଟ୍ରମ୍ପ କହିଥିଲେ। ଅନ୍ୟପକ୍ଷରେ ଚାଇନା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ବୈଠକର ସଫଳତା ନେଇ ଖୁସି ବ୍ୟକ୍ତ କରାଯାଇଛି। ଚାଇନାର କମ୍ପାନୀଗୁଡ଼ିକ ପ୍ରତି ଆମେରିକା ଭଲ ବ୍ୟବହାର ପ୍ରଦର୍ଶନ କରିବ ବୋଲି ଜିନପିଙ୍ଗ ଆଶାବ୍ୟକ୍ତ କରିଛନ୍ତି ବୋଲି ତାଙ୍କ ବକ୍ତବ୍ୟକୁ ଉଦ୍ଧାର କରି ଜି-୨୦ରେ ଚାଇନାର ବୈଦେଶିକ ମନ୍ତ୍ରଣାଳୟ ଦୂତ ଓ୍ବାଙ୍ଗ ଜିଆଓଲୋଙ୍ଗ କହିଥିଲେ।