Categories: ମେଟ୍ରୋ

ଜୋର୍‌ ଧରିଲା ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବି: ସଂସ୍କୃତିମ୍‌ ପକ୍ଷରୁ ଓଡ଼ିଶୀ ସଙ୍ଗୀତ ଉତ୍ସବ ଆରମ୍ଭ

ଭୁବନେଶ୍ୱର,୨।୨(ବ୍ୟୁରୋ)-  ଓଡ଼ିଶୀ ନୃତ୍ୟ ସମ୍ପର୍କିତ ଐତିହାସିକ ସାହିତ୍ୟ ଓ ପରମ୍ପରା ବେଶ୍‌ ବ୍ୟାପକ। ଓଡ଼ିଶୀ ସଙ୍ଗୀତରେ ରାଗ, ତାଳ, ବାଦ୍ୟ ଏବଂ ସାଙ୍କେତିକ ଚିହ୍ନ ଆଦି କର୍ନାଟକୀ ଓ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଭଳି ରହିଛି। ସେହି ଅନୁସାରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ପ୍ରଦାନ କରିବାକୁ ଶନିବାର ସଂସ୍କୃତିମ୍‌ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ କବିଚନ୍ଦ୍ର ଡ. କାଳିଚରଣ ପଟ୍ଟନାୟକ ଓଡ଼ିଶୀ ସଙ୍ଗୀତ ସେମିନାରରେ ମତପ୍ରକାଶ ପାଇଛି। ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ପାଇବାର ସମସ୍ତ ଗୁଣ ଓଡ଼ିଶୀ ସଙ୍ଗୀତ ନିକଟରେ ରହିଥିବାରୁ ଏହାକୁ ତୁରନ୍ତ ମାନ୍ୟତା ପ୍ରଦାନ କରିବାକୁ ବିଶିଷ୍ଟ ବକ୍ତାମାନେ ଦାବି କରିଛନ୍ତି।

ବିହାରସ୍ଥିତ ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ଓଡ଼ିଶୀ ସଙ୍ଗୀତ ବିଶାରଦ ଡ. କୀର୍ତ୍ତନ ନାରାୟଣ ପାଢ଼ୀ, ଓଡ଼ିଶା ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଡ. ସୁବାସ ପାଣି, ଗୁରୁ ଡ. ଗୋପଳ ଚନ୍ଦ୍ର ପଣ୍ଡା, ପ୍ରଫେସର ରଘୁନାଥ ପଣ୍ଡା, ଡ. ସଙ୍ଗୀତା ଗୋସାଇଁ, ଗୁରୁ ଡ. ବିଜୟ କୁମାର ଜେନା, ସଙ୍ଗୀତା ପଣ୍ଡା, ପଦ୍ମଶ୍ରୀ ପ୍ରଫୁଲ୍ଲ କର, ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତି, ପ୍ରଫେସର ମୋହିନୀ ମୋହନ ପଟ୍ଟନାୟକ, ପ୍ରଫେସର ଜଗନ୍ନାଥ କୁଁଅର, ଗୁରୁ ସଚ୍ଚିଦାନନ୍ଦ ଦାସ ପ୍ରମୁଖ ଯୋଗଦେଇ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ପ୍ରଦାନ କରିବା ଲାଗି ଦାବି କରିଥିଲେ। ଓଡ଼ିଶୀ ନୃତ୍ୟ ବିଶାରଦ କସ୍ତୁରୀ ପଟ୍ଟନାୟକ ସେମିନାର ସଂଯୋଜନା କରିଥିଲେ। ଏହି ଅବସରରେ ସନ୍ଧ୍ୟାରେ କବିଚନ୍ଦ୍ର ଡ. କାଳିଚରଣ ପଟ୍ଟନାୟକ ଓଡ଼ିଶୀ ସଙ୍ଗୀତ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶୀ ସଙ୍ଗୀତ ବିଶାରଦ ଓ ଉଦୀୟମାନ କଳାକାରଙ୍କ ଦ୍ୱାରା ଓଡ଼ିଶୀ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି ଦୁଇଦିନିଆ ଉତ୍ସବ ରବିବାର ଉଦ୍‌ଯାପିତ ହେବ।