Categories: Home Leftଖେଳ

ଜୋକୋଭିଚ୍‌ଙ୍କ ଟ୍ରେନର ସାଜିଲେ ରୋନାଲ୍ଡୋ

ଲିସବନ, ୨୮।୧୨- ଟେନିସ କିମ୍ବଦନ୍ତୀ ନୋଭାକ ଜୋକୋଭିଚ୍‌ଙ୍କ ଟ୍ରେନର ସାଜିଛନ୍ତି ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ। ୧୬ ଗ୍ରାଣ୍ଡସ୍ଲାମ ଜିତିସାରିଥିବା ଜୋକୋଭିଚ୍‌ଙ୍କୁ ପର୍ତ୍ତୁଗାଲ ଷ୍ଟାର କେଉଁଭଳି ଉପରକୁ ଡେଇଁ ହେଡର ଜରିଆରେ ଗୋଲ କରିବାକୁ ହୁଏ, ତାହାର ଟ୍ରେନିଂ ଦେଇଛନ୍ତି। ଏହାର ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି ଜୁଭେଣ୍ଟସ ଫରଓ୍ବାର୍ଡ ରୋନାଲ୍ଡୋ। ଏହାର କ୍ୟାପଶନରେ ଲେଖିଛନ୍ତି, ଜୋକୋଭିଚ୍‌ଙ୍କୁ ଡେଇଁବା ଶିଖାଉଛି। ସାଙ୍ଗ ତୁମ ସହ ଟ୍ରେନିଂ କରି ମୁଁ ବହୁତ ଖୁସି। ରୋନାଲ୍ଡୋଙ୍କ ଜୁଭେଣ୍ଟସ ଏବେ ଆଣ୍ଟୋନିଓ କୋଣ୍ଟେଙ୍କ ଇଣ୍ଟର ମିଲନଠାରୁ କେବଳ ଗୋଟିଏ ଗୋଲ ପଛରେ ରହିଛି। ଉଭୟ ଦଳ ସମାନ ପଏଣ୍ଟ ସହ ଟେବୁଲର ପ୍ରଥମ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆସନ୍ତା ୬ ତାରିଖରେ ଜୁଭେଣ୍ଟସ ୬ଷ୍ଠ ସ୍ଥାନରେ ଥିବା କାଗଲିଆରିକୁ ଭେଟିବ। ପୂର୍ବତନ ରିୟଲ ମାଡ୍ରିଡ୍‌ ଓ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଖେଳାଳି ଚଳିତ ସିଜନରେ ୧୪ ମ୍ୟାଚ୍‌ରେ ୧୦ ଗୋଲ ଦେଇଛନ୍ତି। ଅନ୍ୟପକ୍ଷରେ ଜୋକୋଭିଚ୍‌ ଜାନୁୟାରୀ ୨୦ ତାରିଖରେ ହେବାକୁ ଥିବା ଅଷ୍ଟ୍ରେଲିଆ ଓପନର ପାଇଁ ପ୍ରସ୍ତୁତ ହେଉଛନ୍ତି।

Share