Categories: ଅନୁଗୋଳ

ଜିଲା କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ

ଅନୁଗୋଳ ଅଫିସ, ୨୬।୯ – ଅନୁଗୋଳ ଜିଲା କାର୍ଯ୍ୟାଳୟ ସମ୍ମୁଖରେ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ବୁଧବାର ୪ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ମଞ୍ଚର ସଭାପତି ମୁରଲୀଧର ସାହୁ ଓ ଅନ୍ୟମାନେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ମଞ୍ଚ ପକ୍ଷରୁ ଅନୁଗୋଳ ଷ୍ଟାଡ଼ିୟମଠାରୁ ଏକ ଶୋଭାଯାତ୍ରା ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ଏଥିରେ ଶତାଧିକ ସଂଖ୍ୟାରେ ତାଳଚେରବାସୀ ସାମିଲ ହୋଇଥିଲେ। ମଞ୍ଚର ଅଭିଯୋଗ ମୁତାବକ, ୨୦୧୮ ମେ ୧୫ରେ ଦଶମ ଆର୍‌ପିଡ଼ିଏସି ବୈଠକରେ ଆଲୋଚନା ହୋଇଥିବା ପ୍ରସଙ୍ଗର କୌଣସି ରୂପାୟନ ଅଦ୍ୟାବଧି ହୋଇନାହିଁ। ଏପରି କି ଏମ୍‌ସିଏଲ୍‌ରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ନିଯୁକ୍ତି ମଧ୍ୟ ପ୍ରଦାନ କରାଯାଇ ନାହିଁ। ୨୦୦୬ ଆର୍‌ଆଣ୍ଡଆର୍‌ ପଲିସିକୁ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ବଳବତ୍ତର ରଖିବାକୁ ଦାବି ପରେ ପ୍ରକଳ୍ପ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପାଳନ କରୁନାହାନ୍ତି। ଲୋକଙ୍କ ଜମି ଉପରେ ଖଣି ଖାଦାନ ହୋଇଥିଲେ ମଧ୍ୟ ସେମାନଙ୍କୁ ନିଯୁକ୍ତି ମିଳିନାହିଁ। ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ମନମୁଖି କାମ କରୁଥିବାରୁ ଏହା ପ୍ରତିବାଦରେ ସୁରକ୍ଷା ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯାଇଥିବା ତାଳଚେର ବିଧାୟକ ପ୍ରଧାନ କହିଛନ୍ତି। ମଞ୍ଚ ସଭାପତି ମୁରଲୀଧର କହିଛନ୍ତି, ପ୍ରଶାସନିକ ଅଧିକାରୀମାନେ ଖଣି କର୍ତ୍ତୃପକ୍ଷଙ୍କୁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେମାନେ ଏହାକୁ ଅଣଦେଖା କରୁଛନ୍ତି। ତେଣୁ ଦଶମ ଆର୍‌ପିଡ଼ିଏସି ବୈଠକରେ ଆଲୋଚନା ହୋଇଥିବା ତାଳଚେର ଅଞ୍ଚଳବାସୀଙ୍କ ସମସ୍ୟା ସମ୍ପର୍କରେ ଜିଲା ପ୍ରଶାସନ ବିଚାର କରି ଖଣି କର୍ତ୍ତୃପକ୍ଷଙ୍କୁ ଆଲୋଚନାର ରୂପାୟନ ପାଇଁ ନିର୍ଦ୍ଦେଶ ଦେବାକୁ ସେ କହିଛନ୍ତି।