ଜିଡିପି ପରେ ସରକାରଙ୍କୁ ଜିଏସ୍‌ଟି ଝଟକା;ଅଗଷ୍ଟରେ ଆଦାୟ ୧ ଲକ୍ଷ କୋଟି ତଳକୁ ଖସିଲା

ନୂଆଦିଲ୍ଲୀ,୨-୯: ମୋଟ ଘରୋଇ ଉତ୍ପାଦ(ଜିଡିପି)ହାର ୫%କୁ ହ୍ରାସ ପାଇବା ପରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଆଦାୟ କ୍ଷେତ୍ରରେ ମୋଦି ସରକାରଙ୍କୁ ଆଉ ଏକ ଝଟକା ଲାଗିଛି। ଅଗଷ୍ଟରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ତଳକୁ ଖସି ଆସିଛି। ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଆଲୋଚ୍ୟ ମାସରେ କେନ୍ଦ୍ର ସରକାର ମୋଟ ୯୮,୨୦୩ କୋଟି ଟଙ୍କା ଜିଏସ୍‌ଟି ଆଦାୟ କରିବାକୁ ସକ୍ଷମ ହୋଇଛନ୍ତି। ଆଦାୟ ହୋଇଥିବା ଜିଏସ୍‌ଟି ମଧ୍ୟରୁ ୨୪ ହଜାର କୋଟି ଟଙ୍କା କେବଳ ଆମଦାନୀ ଶୁଳ୍କ ବାବଦରେ ହାସଲ କରାଯାଇପାରିଛି। ପ୍ରକାଶିତ ତଥ୍ୟରୁ ଜଣାପଡିଛି ଯେ, ସଂଗ୍ରୁହିତ ମୋଟ ଜିଏସ୍‌ଟି ମଧ୍ୟରୁ ୧୭,୭୩୩ କୋଟି ଟଙ୍କା ସିଜିଏସ୍‌ଟି ବାବଦରେ ଆଦାୟ ହୋଇଥିବା ବେଳେ ୨୪,୨୩୯ କୋଟି ଟଙ୍କା ଏସ୍‌ଜିଏସ୍‌ଟି ଏବଂ ଆଇଜିଏସ୍‌ଟି ବାବଦରେ ୪୮,୯୫୮ କୋଟି ଟଙ୍କା ଆଦାୟ ହୋଇଛି। ସେହିପରି ୨୪,୮୧୮ କୋଟି ଟଙ୍କା ଆମଦାନୀ ଶୁଳ୍କ ଭାବେ ସଂଗ୍ରହ କରାଯାଇଛି। ସୂଚନାଥାଉ କି, ଜୁଲାଇରେ ସରକାର ୧.୦୨ ଲକ୍ଷ କୋଟି ଟଙ୍କା ଆଦାୟ କରିବାକୁ ସକ୍ଷମ ହୋଇଥିଲେ। ଗତବର୍ଷ ଅଗଷ୍ଟରେ ୯୩,୯୬୦ କୋଟି ଟଙ୍କା ଜିଏସ୍‌ଟି ଆଦାୟ ହୋଇଥିଲା। ତେବେ ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ୪.୫% ଅଧିକ ଜିଏସ୍‌ଟି ଆଦାୟ କରାଯାଇପାରିଛି। ଚଳିତ ଆର୍ଥିକ ବର୍ଷରେ ଦ୍ୱିତୀୟଥର ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ତଳକୁ ରହିଛି। ଏଥିପୂର୍ବରୁ ଜୁନ୍‌ରେ ଜିଏସ୍‌ଟି ସଂଗ୍ରହ ୯୯,୯୩୯ କୋଟି ଟଙ୍କା ଥିଲା। ଉଲ୍ଲେଖ କରାଯାଇପାରେ ଯେ, ଜୁନ୍‌ରେ ଶେଷ ହୋଇଥିବା ଚଳିତବର୍ଷର ପ୍ରଥମ ତ୍ରୈମାସରେ ଦେଶର ମୋଟ ଘରୋଇ ଉତ୍ପାଦ ହାର ୫%କୁ ଖସି ଆସିଛି, ଯାହା କି ୬ ବର୍ଷର ସର୍ବନିମ୍ନ ସ୍ତର କୁହାଯାଉଛି।