ଜାତୀୟ ରାଜପଥରେ ରାହାଜାନି: କଣ୍ଟେନରରୁ ଲୁଟିନେଲେ ୨ କୋଟିର ସିଗାରେଟ

ଟାଙ୍ଗୀ (ଖୋର୍ଦ୍ଧା),୬ା୧୧ (ଡି.ଏନ.ଏ.): ୧୬ନଂ. ଜାତୀୟ ରାଜପଥର ଟାଙ୍ଗୀ ଥାନା ଉଗ୍ରତାରା ଛକରେ ସୋମବାର ବିଳମ୍ବିତ ରାତିରେ ଲୁଟେରାମାନେ ଏକ ବଡଧରଣର ରାହାଜାନି ଘଟାଇଛନ୍ତି। ଚାଳକଙ୍କୁ ବନ୍ଧୁକ ଦେଖାଇ ସେମାନେ ଏକ ସିଗାରେଟ୍‌ ବୋଝେଇ କଣ୍ଟେନରକୁ ନିଜ ହେପାଜତକୁ ନେଇଥିଲେ। ପରବର୍ତ୍ତୀ ସମୟରେ କଣ୍ଟେନର ଠାବ ହୋଇଥିଲେ ମଧ୍ୟ ସେଥିରେ ଥିବା ସିଗାରେଟ୍‌ ଦୁର୍ବୃତ୍ତମାନେ ଗାଏବ କରିନେଇଥିଲେ। କମ୍ପାନୀର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଲୁଟ୍‌ ହୋଇଥିବା ସିଗାରେଟ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ।
ଭଜିରୋ ସୁଲତାନ ଟବାକୋ (ଭିଏସ୍‌ଟି) କମ୍ପାନୀର ଚାର୍ମସ ସିଗାରେଟ୍‌ ବୋଝେଇ କଣ୍ଟେନର ହାଇଦ୍ରାବାଦରୁ କଲିକତା ଅଭିମୁଖେ ଯାଉଥିଲା। ଲୁଟେରାମାନେ ଟାଙ୍ଗୀ ଥାନାର ୧୬ନଂ ଜାତୀୟ ରାଜପଥ ଉଗ୍ରତାରା ଛକରେ ଉକ୍ତ କଣ୍ଟେରକୁ ଅଟକାଇଥିଲେ। ସେମାନେ ଚାଳକଙ୍କୁ ବନ୍ଧୁକ ଦେଖାଇ ଗାଡିକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ । ପରେ ଗାଡି ଚାଳକଙ୍କ ହାତଗୋଡ ବାନ୍ଧି ଉଗ୍ରତାରା ଜଙ୍ଗଲରେ ଫିଙ୍ଗି ଦେଇ କଣ୍ଟେନରକୁ ନେଇ ପଳାଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଚାଳକ ମୁକୁଳିବା ପରେ ଚାନ୍ଦପୁର ଥାନାରେ ପହଞ୍ଚତ୍ ଅଭିଯୋଗ କରିଥିଲେ। ମାତ୍ର ସେଠାକାର ପୋଲିସ ତାଙ୍କ ଅଞ୍ଚଳ ନୁହେଁ କହି ଫେରାଇଦେବା ପରେ ସେ ଟାଙ୍ଗୀ ଥାନାକୁ ଆସି ଅଭିଯୋଗ କରିଥିଲେ । ଗାଡିଚାଳକଙ୍କ ନାମ ରୀକ୍ୟୁ ଯାଦବ ବୋଲି ଜଣାପଡିଛି । ଟାଙ୍ଗୀ ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି। ଲୁଟ୍‌ କଣ୍ଟେନର ଟାଙ୍ଗୀ ଥାନା ଜୟମଙ୍ଗଳପୁର ନିକଟ ଫାଲକନ୍‌ ଫିଡସ୍‌ ପାଖରେ ପୋଲିସ ଠାବ କରିଛି। କିନ୍ତୁ ସେତେବେଳକୁ କଣ୍ଟେନରରୁ ସମସ୍ତ ସିଗାରେଟ୍‌ ଲୁଟ୍‌ ହୋଇଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ହେବ ବୋଲି କମ୍ପାନୀର ଓଡିଶା ମୁଖ୍ୟ ସୁଦୀପ କସେରଙ୍କଠାରୁ ପ୍ରକାଶ।

Share
Tags: nayagarh