2016 Tradewise Gibraltar Chess Festival: Masters Rd 8, 2 February 2016
ଭୁବନେଶ୍ୱର, ୧୫।୨(କ୍ରୀଡ଼ା ପ୍ରତିନିଧି)-
ଅହମ୍ମଦାବାଦରେ ଅନୁଷ୍ଠିତ ୪୦ତମ ଜାତୀୟ ଟିମ୍ ଚେସ୍ ଚାମ୍ପିୟନଶିପ୍ରେ ବିଭିନ୍ନ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶା ଖେଳାଳିମାନେ ଚମତ୍କାରିତା ପ୍ରଦର୍ଶନ କରିଛନ୍ତି। ଅନ୍ତର୍ଜାତୀୟ ମାଷ୍ଟର ପଦ୍ମିନୀ ରାଉତ ସ୍ବର୍ଣ୍ଣ ପଦକ ପାଇଥିବାବେଳେ ଗ୍ରାଣ୍ଡମାଷ୍ଟର (ଜିଏମ) ସ୍ବୟମ୍ସ ମିଶ୍ର ଏବଂ ବୈଭବ ମିଶ୍ର ବ୍ୟକ୍ତିଗତ ପ୍ରଭାବୀ ପ୍ରଦର୍ଶନ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ତାଙ୍କ ଟିମ୍ ଏୟାର ଇଣ୍ଡିଆ ୧୦ମ ସ୍ଥାନରେ ରହି ପ୍ରତିଯୋଗିତା ଶେଷ କରିଥିଲେ ହେଁ ସ୍ବୟମ୍ସ ୯ ରାଉଣ୍ଡରୁ ୬.୫ ପଏଣ୍ଟ ପାଇ ୩ୟ ବୋର୍ଡରେ ବ୍ୟକ୍ତିଗତ ବ୍ରୋଞ୍ଜ ପାଇଛନ୍ତି। ଏୟାର ଇଣ୍ଡିଆ ପକ୍ଷରୁ ସ୍ବୟମ୍ସଙ୍କ ବ୍ୟତୀତ ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ ଖେଳାଳି ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ) ସ୍ବୟଂଶୁ ସତ୍ୟପ୍ରଜ୍ଞ, ଜିଏମ ନାରାୟଣ ଶ୍ରୀନାଥ, ଜିଏମ ତେଜାସ ବାକ୍ରେ ଓ ଆଇଏମ ଚନ୍ଦ୍ରଶେଖର ଗୋଖଲେ ପ୍ରତିନିଧିତ୍ୱ କରୁଥିଲେ। ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ ସ୍ବୟମ୍ସ ସନ୍ତୋଷ ପ୍ରକାଶ କରିଛନ୍ତି।
ବୈଭବ ପ୍ରଭାବୀ
ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଶା‘ଏ’ ୮ମ ସ୍ଥାନରେ ରହି ପ୍ରତିଯୋଗିତା ଶେଷ କରିଛି। ଓଡ଼ିଶା ‘ଏ’ ପକ୍ଷରୁ ଆଇଏମ ସିଦ୍ଧାନ୍ତ ମହାପାତ୍ର, ଉତ୍କଳ ରଞ୍ଜନ ସାହୁ, ରାଜେଶ ନାୟକ, ଆଶୀର୍ବାଦ ସ୍ବାଇଁ ଓ ବୈଭବ ମିଶ୍ର ପ୍ରତିନିଧିତ୍ୱ କରୁଥିଲେ। ଉତ୍କଳ ଦଳର ନେତୃତ୍ୱ ନେଉଥିଲେ। ବୈଭବ ୪ର୍ଥ ବୋର୍ଡରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଶା ‘ବି’ ୧୪ତମ ସ୍ଥାନରେ ସନ୍ତୁଷ୍ଟ ରହିଛି। ଏହି ଦଳରେ ଅଂଶୁମାନ ସାମଲ, ନିଲ୍ସୁ ପଟ୍ଟନାୟକ, ସୁସୋଭିତ ଦାସ, ଆଶୁତୋଷ ମହାନ୍ତି ଖେଳୁଥିଲେ। ସୁସୋଭିତ ଦାସ ଦଳର ନେତୃତ୍ୱ ନେଇଥିଲେ।
ପଦ୍ମିନୀଙ୍କ ଟିମ୍ ଚାମ୍ପିୟନ
ପ୍ରତିଯୋଗିତାର ମହିଳା ବିଭାଗରେ ଆଇଏମ୍ ପଦ୍ମିନୀ ରାଉତଙ୍କ ପେଟ୍ରୋଲିୟମ ସ୍ପୋଟର୍ସ ପ୍ରମୋଶନ ବୋର୍ଡ ଚାମ୍ପିୟନ ହୋଇଛି। ଏହି ଦଳରେ ପଦ୍ମିନୀଙ୍କ ସହିତ ମହିଳା ଗ୍ରାଣ୍ଡମାଷ୍ଟର ମାରି ଆନ ଗୋମ୍ସ, ସୌମ୍ୟା ସ୍ବାମୀନାଥନ, ମହିଳା ଅନ୍ତର୍ଜାତୀୟ ମାଷ୍ଟର ରକ୍ଷିତା ଦେବୀ ଓ ଆଇଏମ ନିଶା ମୋହତା ଖେଳୁଥିଲେ। ପେଟ୍ରୋଲିୟମ ସ୍ପୋଟର୍ସ ପ୍ରମୋଶନ ବୋର୍ଡ ୭ ମ୍ୟାଚରୁ ୭ ବିଜୟ ହାସଲ କରିଥିଲା।
ଓଡ଼ିଶାର ପ୍ରଥମ ମହିଳା ଗ୍ରାଣ୍ଡମାଷ୍ଟର (ଡବ୍ଲ୍ୟୁଜିଏମ)କିରଣ ମନୀଷା ମହାନ୍ତି ଏହି ପ୍ରତିଯୋଗିତାରେ ତାଙ୍କ ନିଯୁକ୍ତି ସଂସ୍ଥା ଏଲଆଇସି ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଏଥିରେ ଏଲଆଇସି ୯ମ ସ୍ଥାନ ଅଧିକାର କରିଥିଲା। କିରଣଙ୍କ ବ୍ୟତୀତ ଡବ୍ଲ୍ୟୁଜିଏମ ସ୍ବାତୀ ଘାଟେ, ଅନଘା ୟାର୍ଡି, ମହିଳା ଫିଡେ ମାଷ୍ଟର ବିନ୍ଦୁ ସରିତା କେ. ଓ ମନୀଷା ତ୍ରିବେଦୀ ଏହି ଦଳ ପକ୍ଷରୁ ଖେଳୁଥିଲେ।
ଓଡ଼ିଶାକୁ ୧୪ତମ ସ୍ଥାନ
ମହିଳା ବିଭାଗରେ ଲୋପାମୁଦ୍ରା ରାଉତରାୟ, ନବନୀତା ପଟ୍ଟନାୟକ, ସ୍ମାରକୀ ମହାନ୍ତି ଓ କ୍ୟାଣ୍ଡିଡେଟ ମାଷ୍ଟର ଅପରାଜିତା ଗୋଚ୍ଛିକାର ଓଡ଼ିଶା ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ। ତେବେ ୭ ରାଉଣ୍ଡରୁ ୬ ପଏଣ୍ଟ ପାଇ ଓଡ଼ିଶା ଦଳ ୧୪ତମ ସ୍ଥାନରେ ରହିଥିଲା।