Categories: ଅନୁଗୋଳ

ଜରପଡ଼ାକୁ ବ୍ଲକ ମାନ୍ୟତା ଦାବି; ଆଞ୍ଚଳିକ ବିକାଶ ପରିଷଦର ଆନ୍ଦୋଳନ ଚେତାବନୀ

ଛେଣ୍ଡିପଦା,୨୨।୭(ଡି.ଏନ.ଏ.) ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜରପଡାକୁ ବ୍ଲକ ମାନ୍ୟତା ପ୍ରଦାନ ପାଇଁ ଦାବି କରିଛି ଜରପଡା ଆଞ୍ଚଳିକ ବିକାଶ ପରିଷଦ। ଏ ନେଇ ଆଞ୍ଚଳିକ ବିକାଶ ପରିଷଦ ସଭାପତି ତଥା ପୂର୍ବତନ ସରପଞ୍ଚ ନାରାୟଣ ସାହୁଙ୍କ ଆବାହକତ୍ୱରେ ରବିବାର ଏକ ବୈଠକ ବସିଥିଲା। ବୈଠକରେ ବ୍ଲକ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା। ଜରପଡା ଥାନା ଅଞ୍ଚଳରେ ଥିବା ପଞ୍ଚାୟତଗୁଡିକ ଉଭୟ ସରକାରୀ ଏବଂ ପ୍ରଶାସନିକ ସ୍ତରରେ ଅବହେଳିତ ହୋଇ ରହିଛି। ବିଭିନ୍ନ ପଞ୍ଚାୟତ ଏବଂ ଗ୍ରାମ ବ୍ଲକ ସଦରମହକୁମାଠାରୁ ପ୍ରାୟ ୪୫ ରୁ ୫୦ କିମି ଦୂରରେ ରହୁଥିବାରୁ ଗମନାଗମନ ଓ ଅନ୍ୟାନ କ୍ଷେତ୍ରରେ ଜରପଡ଼ାବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଛେଣ୍ଡିପଦା ବ୍ଲକର ୧୧ ପଞ୍ଚାୟତ, ବଅଁରପାଳ ବ୍ଲକର ୭, ଅନୁଗୋଳ ବ୍ଲକର ୩, ଆଠମଲ୍ଲିକ ବ୍ଲକର ୨ ପଞ୍ଚାୟତକୁ ମିଶ୍ରଣ କରି ଏକ ନୂତନ ବ୍ଲକ ଗଠନ କରିବା ପାଇଁ ବୈଠକରେ ଦାବି କରାଯାଇଥିଲା। ଏ ନେଇ ରାଜ୍ୟ ସରକାରଙ୍କ ଠାରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ବୈଠକରେ ବିକାଶ ପରିଷଦ ସମ୍ପାଦକ ପବିତ୍ର ସାହୁ, ରସାନନ୍ଦ ସାହୁ, ଦୁର୍ଗା ଚରଣ ପ୍ରଧାନ, ଆଡଭୋକେଟ ନୀଳକଣ୍ଠ ପ୍ରଧାନ, ସଞ୍ଜୟ କୁମାର ପ୍ରଧାନ, ସୁନୀଲ ସାହୁ, ପରମାନନ୍ଦ ସାହୁ, ମଧୁସୂଦନ ପ୍ରଧାନ, ପ୍ରତାପ ପ୍ରଧାନ ,ସରପଞ୍ଚ ବିଭୂତି ଗଡନାୟକ, ଭାନୁପ୍ରିୟା ପ୍ରଧାନ, ସମିତିସଭ୍ୟ ପ୍ରସନ୍ନ ପ୍ରଧାନ, କବିତା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଅପରପକ୍ଷରେ ଆସନ୍ତା ଜୁଲାଇ ୪ ରେ ଜରପଡା ହାଇସ୍କୁଲ ପରିସରରେ ପରବର୍ତ୍ତୀ ପ୍ରସ୍ତୁତି ବୈଠକ ହେବ ବୋଲି ସ୍ଥିର ହୋଇଛି। ସରକାର ଏ ଦିଗରେ ବିହିତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି।