Categories: ଅନୁଗୋଳ

ଜବରଦଖଲକାରୀଙ୍କ କବ୍‌ଜାରେ ମାର୍କେଟ

ବଅଁରପାଳ, ୧୭।୬ (ଡି.ଏନ୍‌.ଏ) ନାଲ୍‌କୋ ଟାଉନଶିପ୍‌ଠାରେ ଥିବା କୃଷକ ବଜାର ବ୍ୟବସାୟୀଙ୍କ କାମରେ ଆସୁନି। ଏହି ମାର୍କେଟରେ ଥିବା ଦୋକାନଗୁଡିକ କେତେଜଣ ଜବରଦଖଲକାରୀଙ୍କ କବ୍‌ଜାରେ ଥିବା ଅଭିଯୋଗ ହୋଇଛି। ଫଳରେ ଏହି ମାଛ, ମାଂସ ମାର୍କେଟଟି ଦୀର୍ଘ ଦିନ ହେଲା ବ୍ୟବହାରରେ ଆସୁନି। ଏଥିଯୋଗୁ ବ୍ୟବସାୟୀମାନେ ରାସ୍ତାକଡରେ ବସି ବେପାର କରୁଛନ୍ତି।
ପନିପରିବା ସମେତ ବିଭିନ୍ନ ପ୍ରକାର ଜିନିଷପତ୍ର ଓ ମାଛ ମାଂସ କିଣାବିକା ପାଇଁ ସ୍ବତନ୍ତ୍ର ଭାବେ ଏହି ମାର୍କେଟ ରହିଛି। ହେଲେ ଏଠାରେ ଥିବା ଦୋକାନଗୁଡିକ ଜବରଦଖଲକାରୀଙ୍କ କବ୍‌ଜାରେ ଥିବାବେଳେ ବିଭିନ୍ନ ପ୍ରକାର ଅସାମାଜିକ ବ୍ୟକ୍ତିମାନେ ବିଶୃଙ୍ଖଳା କରୁଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ମାର୍କେଟ ଦୋକାନ ଗୃହ ଗୁଡ଼ିକ ଭାଙ୍ଗିରୁଜି ଯାଇ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବଜାରର ଶେଷ ସୀମାରେ ମାଛ ଓ ମାଂସ ଦୋକାନ ଗୃହ ରହିଥିବାରୁ ଏଠାରେ ଭଲ ବ୍ୟବସାୟ ହେଉ ନ ଥିବା କେତେଜଣ ବ୍ୟବସାୟୀ ପ୍ରକାଶ କରିଛନ୍ତି। ଫଳରେ ମାଛ ଓ ମାଂସ ଦୋକାନୀ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ସେମାନଙ୍କ ପସରା ଖୋଲିଛନ୍ତି। ଏଥିଯୋଗୁ ରାସ୍ତା ଉପରେ ଗ୍ରାହକଙ୍କ ଭିଡ଼ ଜମୁଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି। ସେହିପରି ଅନେକ ସମୟରେ ଦୋକନୀମାନେ ମାଛ କାତି, କୁକୁଡ଼ା ପର, ଛେଳି ମେଣ୍ଢା ମଳମୂତ୍ର ସବୁକୁ ରାସ୍ତା କଡ଼ରେ ପକାଇ ଦେଉଛନ୍ତି। ଏଥିଯୋଗୁ ପରିବେଶ ପୁତିଗନ୍ଧମୟ ହେଉଛି। ରାସ୍ତା ପାର୍ଶ୍ୱରୁ ଏହି ଦୋକାନଗୁଡ଼ିକୁ ଉଚ୍ଛେଦ କରାଯାଇ ବଜାର ମଧ୍ୟରେ ବ୍ୟବସାୟୀଙ୍କ ପାଇଁ ବ୍ୟବସ୍ଥା କରାଯିବାକୁ ଦାବି ହୋଇଛି।