ଜଣେ ଭଗତ ସିଂ ଦେଶପାଇଁ ଜୀବନ ଦେଲେ ଅନ୍ୟ ଜଣେ ଗଣତନ୍ତ୍ରକୁ ହତ୍ୟା କଲେ: ସଞ୍ଜୟ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଛନ୍ତି। ହେଲେ ଏହାପୂର୍ବରୁ ଶିବସେନା ନେତା ସଞ୍ଜୟ ରାଉତ ଏକ ଖବରଦାତା ସମ୍ମିଳନୀରେ ମହାରାଷ୍ଟ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଜଣେ ଭଗତ୍‌ ସିଂ ଦେଶପାଇଁ ଜୀବନ ଦେଇଥିବା ବେଳେ ଅନ୍ୟଜଣେ ଭଗତ୍‌ ସିଂ ଗଣତନ୍ତ୍ରର ହତ୍ୟା କରିଛନ୍ତି। ତେବେ ମହାରାଷ୍ଟ୍ରରେ ରାତାରାତି ଭାଜପା ନେତୃତ୍ୱାଧିନ ସରକାର ଗଠନ ହେବା ଓ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ଶପଥପାଠ କରାଇବା ଏସବୁକୁ ଲକ୍ଷ୍ୟ କରି ସଞ୍ଜୟ ଏହା କହିଛନ୍ତି। ସମ୍ବିଧାନ ଦିବସ ଅବସରରେ ମହାରାଷ୍ଟ୍ରରେ ସତ୍ୟମେବ ଜୟତେକୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି। ଏବେ ୧୬୨ ବିଧାୟକଙ୍କ ସହ ସରକାର ଗଢିବାକୁ ଶିବସେନା ସୋମବାର ରାଜ ଭବନ ଯାଇଥିବା ବେଳେ ବୁଧବାର ଭାଜପା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଯଦି ଏଥିରେ କିଛି ବ୍ୟତିକ୍ରମ ହେଲା ତେବେ ମହାରାଷ୍ଟ୍ର ରାଜନୀତି ଭିନ୍ନ ମୋଡ ନେଇପାରେ ବୋଲି ଅନୁମାନ କରାଯାଉଛି।

Share