ଛେଳିକୁ ବାନ୍ଧି ନେଲେ ପୋଲିସ ବାବୁ: ଭିଆଇପି ବଙ୍ଗଳାରେ ଗଛପତ୍ର ଖାଇବା ଅଭିଯୋଗ

ଭୋପାଳ,୯।୯: ପୋଲିସ ଥାନାକୁ ଅପରାଧି ବନ୍ଧା ହୋଇ ଆସିବା ସାଧାରଣ ଘଟଣା। ତେବେ ମଧ୍ୟପ୍ରଦେଶ ମୁରେନା ସହରର ଓ୍ବାଟର ଓ୍ବାକର୍ସ କଲୋନୀରେ ବାସ କରୁଥିବା ଦୀପକ ବାଲ୍ମିକୀଙ୍କ ଛେଳିକୁ ପୋଲିସ ବାବୁ ଥାନାକୁ ବାନ୍ଧି ନେଇଛନ୍ତି। ବିଚରା ଛେଳି ପଘାରୁ ଫିଟି ସ୍ଥାନୀୟ ପୋଲିସ ଥାନା ନିକଟରେ ଥିବା ଭିଆଇପି ବଙ୍ଗଳାରେ ପଶି ଗଛପତ୍ର ଖାଇଥିଲା। ବଙ୍ଗଳାରେ ବାସ କରୁଥିବା ଜିଲା କୋର୍ଟ ବିଚାରପତି ମହମ୍ମଦ୍‌ ଅନିଫ୍‌ ଖାଁ ଏନେଇ ଥାନାକୁ ଫୋନ୍‌ କରିଥିଲେ। ଖବର ପାଇ ପୋଲିସ ବାବୁ ଘଟଣାସ୍ଥଳରେ ପହଞ୍ଚି ଛେଳିକୁ ବାନ୍ଧି ନେଇ ଥାନାରେ ରଖିଥିଲେ। ଛେଳି ଗୋଟିଏ ରାତି ଥାନାରେ ବନ୍ଧା ହୋଇ ରହିବା ପରେ ସକାଳେ ମାଲିକ ଦୀପକ ଆସି ଛେଳିକୁ ଘରକୁ ଆଣିଥିଲେ। ଏନେଇ ଟିଆଇ ଶିବସିଂ ଯାଦବ ସୂଚନା ଦେଇଛନ୍ତି ଯେ, ଛେଳି ବୁଲୁଥିବା ଖବର ପାଇ ପୋଲିସ କର୍ମଚାରୀ ଏହାକୁ ଥାନାରେ ଆଣି ବାନ୍ଧିଥିଲେ। ପରେ ମାଲିକ ଆସିବାରୁ ତାଙ୍କୁ ଛେଳି ଫେରାଇ ଦିଆ ଯାଇଛି।