Categories: ଅନୁଗୋଳ

ଛୁଞ୍ଚି ଭାଙ୍ଗି ଅଣ୍ଟାରେ ଅଟକିବା ଘଟଣା: ଜିଲା ଚିକିତ୍ସାଳୟରେ ଶିଶୁର ଚିକିତ୍ସା

ଅନୁଗୋଳ ଅଫିସ, ୩।୧୦ – ଇଞ୍ଜେକସନ ନେବାବେଳେ ଅଣ୍ଟାରେ ଛୁଞ୍ଚି ଭାଙ୍ଗି ରହିଯାଇଥିବା ତାଳଚେର କଣ୍ଢାଳ ପଞ୍ଚାୟତ ବାଲୁଗଁ। ର ଜଣେ ୫ ବର୍ଷିୟା ଶିଶୁ କନ୍ୟା ବୁଧବାର ସକାଳେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ସର୍ଜରୀ ସ୍ପେଶାଲିଷ୍ଟ ତଥା ଏଡିଏମ୍‌ଓ (ମେଡ଼ିକାଲ) ଲକ୍ଷ୍ମୀ ନାରାୟଣ ବିଶୋଇ ତାଙ୍କ ଚିକିତ୍ସା କରିଥିଲେ। ଏପରି କି ଅନୁଗୋଳ ଓ କଟକରେ ଥିବା ଘରୋଇ ମେଡିକାଲରେ ଶିଶୁ କନ୍ୟାର ଅଣ୍ଟାରେ ଅସ୍ତ୍ରୋପଚାର କରାଯାଇଥିବା ବେଳେ ସେହି ସ୍ଥାନରେ କ୍ଷତ ଶୁଖି ନ ଥିବା ଦେଖିଥିଲେ। ତେବେ ଶିଶୁଙ୍କ ଦେହରେ ଜ୍ୱର ଥିବାରୁ ୭ ଦିନ ପାଇଁ ବିଶ୍ରାମ ଦେବା ସହ ଔଷଧ ଲେଖିଥିଲେ। ପୁରୁଣା କ୍ଷତ ଶୁଖିବା ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବାକୁ ଶିଶୁଙ୍କ ବାପା ନିରଞ୍ଜନ ବେହେରାଙ୍କୁ ଏଡିଏମଓ କହିଛନ୍ତି। ଆସନ୍ତା ମଙ୍ଗଳବାର ଝିଅକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ କଟକ ବଡ଼ ମେଡିକାଲକୁ ପଠାଯାଇ ସେଠାରେ ଛୁଞ୍ଚି କଢାଯିବାକୁ ଚିଠି ଲେଖାଯିବ ବୋଲି ଏଡିଏମ୍‌ଓ କହିଛନ୍ତି। ଯଦି କ୍ଷତ ନ ଶୁଖେ କି ଜ୍ୱର ନ ଛାଡ଼େ ତେବେ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଏଡିଏମ୍‌ଓ ବିଶୋଇ କହିଛନ୍ତି। ସୂଚନାଯୋଗ୍ୟ, ଦେଢ଼ ମାସ ତଳେ ବଳରାମପ୍ରସାଦ ସ୍ଥିତ ମାମୁ ଘରକୁ ଶିଶୁ କନ୍ୟା ଜଣକ ଆସିଥିବାବେଳେ ଜ୍ୱର ହୋଇଥିଲା। ନିକଟରେ ଥିବା କ୍ଲିନିକ୍‌ର ଫାର୍ମାସିଷ୍ଟ ଝିଅକୁ ଇଞ୍ଜେକସନ୍‌ ଦେବାବେଳେ ଛୁଞ୍ଚି ଭାଙ୍ଗି ଅଣ୍ଟାରେ ରହିଯାଇଥିଲା। ପ୍ରଥମେ ଅନୁଗୋଳର ଏକ ଘରୋଇ ମେଡିକାଲ ଓ କଟକ ଏକ ଘରୋଇ ମେଡ଼ିକାଲରେ ଦୁଇଥର ଅସ୍ତ୍ରୋପଚାର ବିଫଳ ହେବା ପରେ ଅର୍ଥ ଅଭାବରୁ ଚିକିତ୍ସା କରି ନ ପାରି ପରିବାର ଲୋକ ଝିଅକୁ ଘରକୁ ଧରି ଚାଲିଆସିଥିଲେ।