Categories: ମେଟ୍ରୋ

ଚୂଡ଼ାନ୍ତ ପର୍ଯ୍ୟାୟ ପୁସ୍ତକ ତାଲିକା ପ୍ରକାଶ କରିବ କେନ୍ଦ୍ର ସାହିତ୍ୟ ଏକାଡେମୀ

ଭୁବନେଶ୍ୱର,୧୨।୬(ବ୍ୟୁରୋ)- କେନ୍ଦ୍ର ସାହିତ୍ୟ ଏକାଡେମୀ ଏଥର ଏକାଡେମୀ ପୁରସ୍କାର ଘୋଷଣା କରିବା ସହ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୁସ୍ତକ ଓ ଏହାର ଲେଖକମାନଙ୍କ ନାମ ତାଲିକା ପ୍ରକାଶ କରିବ। ଏ ନେଇ ଏକାଡେମୀ ସଚିବ କେ. ଶ୍ରୀନିବାସନ୍‌ ଲେଖିଥିବା ଏକ ଚିଠିରୁ ସୂଚନା ମିଳିଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରତିବର୍ଷ ୪ ବିଭାଗରେ ସମୁଦାୟ ୨୪ ଭାଷାରେ ସାହିତି୍ୟକ ତଥା ଲେଖକଙ୍କୁ ପୁରସ୍କୃତ କରିଥାଏ। ସାହିତ୍ୟ ଏକାଡେମୀ ପୁରସ୍କାର ସହ ଏକାଡେମୀ ଯୁବ ପୁରସ୍କାର, ବାଲ୍‌ ସାହିତ୍ୟ ପୁରସ୍କାର ଓ ଏକାଡେମୀ ଅନୁବାଦ ପୁରସ୍କାର ବଛା ବଛା ସାହିତି୍ୟକମାନଙ୍କୁ ପ୍ରଦାନ କରାଯାଇଥାଏ। ତେବେ ଆଗାମୀ ବର୍ଷଠାରୁ ଏକାଡେମୀ ଚୟନ ପ୍ରକ୍ରିୟାର ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବା ପୁସ୍ତକଗୁଡ଼ିକର ନାମ ଘୋଷଣା କରାଯିବ। ଏକାଡେମୀ ଏହାର ପୁରସ୍କାର ନିୟମ ପାଳନ କରି ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକଙ୍କ ନାମ ଓ ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକଗୁଡ଼ିକର ତାଲିକା ନିଶ୍ଚିତ ଭାବରେ ଘୋଷଣା କରିବ ବୋଲି ସଚିବ କେ. ଶ୍ରୀନିବାସନ୍‌ ଅନୁବାଦକ ନରେନ୍ଦ୍ର ନାରାୟଣ ଦାଶଙ୍କ ଏକ ଚିଠିର ଉତ୍ତର ଦେଇ ଉଲ୍ଲେଖ କରିଛନ୍ତି। ଏକାଡେମୀ ପକ୍ଷରୁ ୨୦୧୮ ବର୍ଷ ପାଇଁ ତ୍ରିପୁରା ରାଜଧାନୀ ଅଗରତାଲାଠାରେ ଆସନ୍ତା ୧୪ ତାରିଖରେ ଅନୁବାଦ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ସାଧାରଣ ପରିଷଦ ବୈଠକ ବସି ୨୦୧୯ ମସିହା ପାଇଁ ଯୁବ ପୁରସ୍କାର ଓ ବାଲ୍‌ ସାହିତ୍ୟ ପୁରସ୍କାର ଘୋଷଣା କରାଯିବ।