Categories: ମେଟ୍ରୋ

ଚନ୍ଦକାରେ ହେବ ବିଶ୍ୱସ୍ତରୀୟ ବନ୍ୟଜନ୍ତୁ ହସ୍ପିଟାଲ

ଭୁବନେଶ୍ୱର,୩୧।୫(ବ୍ୟୁରୋ):ରାଜ୍ୟରେ ବିଶ୍ୱସ୍ତରୀୟ ବନ୍ୟଜନ୍ତୁ ଚିକିତ୍ସାଳୟ(ହସ୍ପିଟାଲ) ସ୍ଥାପନ ହେବ। ଭୁବନେଶ୍ୱର ନିକଟସ୍ଥ ଚନ୍ଦକା ଜଙ୍ଗଲରେ ଏହି ବିଶ୍ୱସ୍ତରୀୟ ହସ୍ପିଟାଲ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ ସ୍ଥାପନ କରାଯିବ। ଶନିବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହାତୀ ସଂରକ୍ଷଣ ସମ୍ବନ୍ଧିତ ରାଜ୍ୟସ୍ତରୀୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ହାତୀ ବାସ କରୁଥିବା ସ୍ଥାନ ଓ କରିଡର ଆଦିରେ କାର୍ଯ୍ୟକ୍ରମ ମାଧ୍ୟମରେ ଅଧିକ ମଜୁରିଭିତ୍ତିକ ନିଯୁକ୍ତି ସୃଷ୍ଟି କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ମହାନଦୀ ଓ ସମ୍ବଲପୁର ହାତୀ ସଂରକ୍ଷଣ ଜଙ୍ଗଲ ସଘନ ବିକାଶ ଏବଂ ଶିମିଳିପାଳ- ହଦଗଡ଼ ଓ ବରୁଣାଇ- ନୂଆଗାଁ ହାତୀ କରିଡର ଆଦିର ବିକାଶ ପାଇଁ ନିଷ୍ପତ୍ତି ହୋଇଛି। ଗତ ୭ ବର୍ଷ ମଧ୍ୟରେ ଓଡ଼ିଶାରେ ହାତୀ ସଂଖ୍ୟାରେ ବୃଦ୍ଧି ଘଟୁଛି। ୨୦୧୨ରେ ହାତୀ ସଂଖ୍ୟା ୧୯୩୦ ଏବଂ ୨୦୧୭ରେ ଏହି ସଂଖ୍ୟା ୧୯୭୬କୁ ବୃଦ୍ଧି ପାଇଛି। ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଓଡ଼ିଶାରେ ହାତୀ ସୁରକ୍ଷା ସମ୍ବନ୍ଧରେ ଆଲୋଚନା କରିଥିଲେ।