Categories: ଅନୁଗୋଳ

ଘର ଭାଙ୍ଗିଲେ, ଫସଲ ନଷ୍ଟ କଲେ ହାତୀ

କଣିହାଁ/ ବଇଣ୍ଡା,୨୫।୬ (ଡି.ଏନ.ଏ.)ଅନୁଗୋଳ ଜିଲାର କଣିହାଁ ବନାଞ୍ଚଳ ଓ ହଣ୍ଡପା ରେଞ୍ଜରେ ହାତୀ ଉପଦ୍ରବ ଲାଗି ରହିଛି। କଣିହଁ। ବନାଞ୍ଚଳ ଅଧୀନ ରେଙ୍ଗାଳି ଫରେଷ୍ଟ ସେକ୍ସନର ବଜ୍ରକୋଟ ପଞ୍ଚାୟତରେ ରବିବାର ୫ରୁ ଅଧିକ ହାତୀ ଗ୍ରାମାଭିମୁଖୀ ହୋଇ ପନିପରିବା ଫସଲ ନଷ୍ଟ କରିବା ସହ କେତେଜଣଙ୍କ ଘର ଭାଙ୍ଗି ଦେଇଛନ୍ତି। ତୁରନ୍ତ ହାତୀଙ୍କୁ ଘଉଡ଼ାଇବା ସହିତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି। ଏ ନେଇ ରେଙ୍ଗାଲି ସେକ୍ସନ ଫରେଷ୍ଟର ସରସ୍ବତୀ ବେହେରା କହିଛନ୍ତି, ହାତୀଙ୍କ ଦ୍ୱାରା କ୍ଷୟକ୍ଷତିକୁ ନେଇ ନିୟମାନୁଯାୟୀ ସହାୟତା ଅର୍ଥ ପ୍ରଦାନ କରାଯିବ। ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା କାର୍ଯ୍ୟ ଚାଲିଛି। ସେହିପରି କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜର ଅଶ୍ରୁବାହାଳ, ନାଗାଝରଣ, ଖଣ୍ଡବର, ଜାମ୍ବୁନାଳୀ, ମଧପୁର ଆଦି ଅଞ୍ଚଳରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ହାତୀପଲ ନିକଟସ୍ଥ ଜଙ୍ଗଲରୁ ଗ୍ରାମାଭିମୁଖୀ ହୋଇ ପନିପରିବା ଫସଲ ସହ କଦଳୀବଗିଚା ନଷ୍ଟ କରି ଦେଉଛନ୍ତି। ବାରମ୍ବାର ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତୁରନ୍ତ ଏଥିପ୍ରତି ପଦକ୍ଷେପ ନିଆଯିବା ସହ କ୍ଷତିଗ୍ରସ୍ତଙ୍କୁ ସରକାରୀ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି।