ଦକ୍ଷିଣ ଓଡ଼ିଶାର ବୃହତ୍ତମ ସହର ବ୍ରହ୍ମପୁର ପୌରସଂସ୍ଥାକୁ ୧୫୨ ବର୍ଷ ପୂରିଛି। ୧୦ ବର୍ଷ ତଳୁ ସରକାରଙ୍କ ପକ୍ଷରୁ ମହାନଗର ନିଗମ ମାନ୍ୟତା ମିଳିଛି। ତେଣୁ ବିଭିନ୍ନ ଉନ୍ନୟନ ଯୋଜନା ପାଇଁ ବିପୁଳ ପରିମାଣର ଅନୁଦାନ ଆସୁଛି। ଅନେକ ଜାତୀୟକରଣ ବ୍ୟାଙ୍କ ଶାଖା ଓ ରାଜ୍ୟର ପୁରାତନ ସମବାୟ କେନ୍ଦ୍ର ବ୍ୟାଙ୍କ, ସମବାୟ ଅର୍ବାନ ବ୍ୟାଙ୍କ ଥିବା ସତ୍ତ୍ବେ ନିଗମର ଶହ ଶହ କୋଟି ଟଙ୍କା ୩ ଘରୋଇ ବ୍ୟାଙ୍କରେ କାରବାର ହେଉଛି। ନିଗମ କାର୍ଯ୍ୟାଳୟ ପରିସରରେ ଦୁଇ ଘରୋଇ ବ୍ୟାଙ୍କ ଶାଖା ମଧ୍ୟ ଖୋଲିଛି। ସେହିପରି ମହାନଗରର ୪୦ ୱାର୍ଡ ମଧ୍ୟରୁ ୩୭ ୱାର୍ଡର ସଫେଇ ଓ ପରିମଳ କାର୍ଯ୍ୟ ଘରୋଇକରଣ କରାଯାଇଛି। ଏ ବାବଦରେ ମାସିକ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ସମ୍ପୃକ୍ତ ଠିକା ସଂସ୍ଥାକୁ ପୈଠ କରାଯାଉଛି। ଘରୋଇକରଣ ସତ୍ତ୍ବେ ବିଭିନ୍ନ ସାହିବସ୍ତିରେ କୁଢ଼ କୁଢ଼ ଆବର୍ଜନା ନିୟମିତ ଉଠାଯାଉ ନ ଥିବାରୁ ବିପର୍ଯ୍ୟସ୍ତ ପରିମଳକୁ ପ୍ରମାଣିତ କରୁଛି। ସହରବାସୀଙ୍କୁ ସୁବିଧାରେ ପରିବହନ ସେବା ଯୋଗାଇଦେବା ପାଇଁ ସରକାର ପ୍ରାୟ ୪୦ ସିଟି ବସ୍‌ ଯୋଗାଇଛନ୍ତି। ପରିଚାଳନା ଦାୟିତ୍ୱ ନିଗମ ଓ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)କୁ ନ୍ୟସ୍ତ କରିଛନ୍ତି। ସେଥିନିମନ୍ତେ ଗଞ୍ଜାମ ଅର୍ବାନ ଟ୍ରାନ୍ସପୋର୍ଟ ସର୍ଭିସ ଲିଃ ନଁାରେ ଏକ ସଂସ୍ଥା ଗଠନ କରାଯାଇଛି। ଜିଲାପାଳଙ୍କୁ ଏହାର ମୁଖିଆ କରାଯାଇଥିବା ବେଳେ ବିଡିଏ କର୍ତ୍ତୃପକ୍ଷ ଏବଂ ନିଗମ କମିଶନର ଓ ଅନ୍ୟମାନେ ଅଛନ୍ତି। ୨୦୧୩ରୁ ଆରମ୍ଭ ହୋଇଥିବା ସିଟି ବସ୍‌ ସେବା କିଛିଦିନ ପରିବହନ ନିଗମ (ଓଏସ୍‌ଆରଟିସି)କୁ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ବସ୍‌ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ଅଧିକାଂଶ ବସ୍‌ ଅବସ୍ଥା ଶୋଚନୀୟ ହୋଇଛି। ପ୍ରତି ବସ୍‌ ପିଛା ଦୈନିକ ମାତ୍ର ଶହେ ଟଙ୍କା ଲେଖାଏ ସେହି ଘରୋଇ ମାଲିକ ପୈଠ କରିବାର ଚୁକ୍ତିନାମା କରାଯାଇଛି। ସେହିପରି ପାଖାପାଖି ୧୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହଳଦିଆପଦର ଆଧୁନିକ ବସ୍‌ ଟର୍ମିନାଲ ଉଦ୍‌ଘାଟନର ୪ ବର୍ଷ ବିତିଛି । ସେଠାକୁ ଘରୋଇ ବସ୍‌ଗୁଡ଼ିକ ଯିବା ପାଇଁ ମଙ୍ଗୁ ନ ଥିବାରୁ ଟର୍ମିନାଲ ଫାଙ୍କା ପଡ଼ିଛି। ଟର୍ମିନାଲ କାର୍ଯ୍ୟକ୍ଷମ ଉଦ୍ୟମ କରି ନିଗମ କମିଶନର ତଥା ବିଡିଏ ଉପାଧ୍ୟକ୍ଷ ବିଫଳ ହୋଇଛନ୍ତି। ବହୁ ବିଳମ୍ବରେ ମହୁଡ଼ାରେ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ହେବା ପରେ ଘରୋଇକରଣ କରାଯିବାର ପ୍ରସ୍ତାବ ରହିଛି। ଦୁଇ ପର୍ଯ୍ୟାୟରେ ୧୮ କୋଟି ଟଙ୍କା ବ୍ୟୟରେ ରାମଲିଙ୍ଗମ ପୋଖରୀ ଆଧୁନିକୀକରଣ ତଥା ସୌନ୍ଦର୍ଯ୍ୟକରଣ ଯୋଜନା ୩ ବର୍ଷ ତଳୁ ଆରମ୍ଭ ହୋଇଛି। ସମ୍ପୂର୍ଣ୍ଣ ହେବା ପରେ ପରିଚାଳନା ଘରୋଇକରଣ କରାଯିବାର ଆପାତତଃ ନିଷ୍ପତ୍ତି ନିଆଯାଇଛି। ଦୁଇ ତିନିଥର ଶିଳାନ୍ୟାସ ପରେ ବିଡିଏ ପକ୍ଷରୁ ମହାନଗର ଉପକଣ୍ଠ ଆମ୍ବପୁଆରେ ରାଜ୍ୟର ପ୍ରଥମ ରକ ଗାର୍ଡେନ (ପଥର ଉଦ୍ୟାନ) ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସମ୍ପୂର୍ଣ୍ଣ ହେବା ପରେ ତାହା ମଧ୍ୟ ଘରୋଇକରଣ କରାଯିବାର ସୁରାକ୍‌ ମିଳିଛି। ଅର୍ଦ୍ଧଶତାବ୍ଦୀର ପୌର ଅତିଥି ଭବନ ଓ ୩୦ ବର୍ଷର ଖଲ୍ଲିକୋଟ କଲେଜ ପାଖ ମ୍ୟୁନିସିପାଲ କଲ୍ୟାଣ ମଣ୍ଡପକୁ ଗତ ମାସରେ ଘରୋଇ ସଂସ୍ଥାକୁ ଲିଜ ସୂତ୍ରରେ ହସ୍ତାନ୍ତର କରାଯାଇଛି। ଏମିତି ଘରୋଇକରଣ ପ୍ରୀତି ବଢ଼ି ଚାଲିଥିବା ସଚେତନ ନାଗରିକଙ୍କ ମଧ୍ୟରେ ଆଲୋଚ୍ୟ ବିଷୟ ହୋଇଛି।

Share