ଘଡ଼ି ଭାଙ୍ଗି ଟଙ୍କା ଦାନକଲେ ଭାଇଭଉଣୀ

ଜୟପୁର: ଘଡ଼ିରେ ଟଙ୍କା ସଞ୍ଚୟ କରିବା ପିଲାମାନଙ୍କ ଏକ ସଉକ ହୋଇଥାଏ। ଏହି ସଞ୍ଚୟ ଅର୍ଥକୁ ନେଇ ସେମାନେ କେତେ କ’ଣ ସ୍ବପ୍ନ ଦେଖିଥାନ୍ତି। କିନ୍ତୁ ଏବେ ଲକ୍‌ଡାଉନ ପାଇଁ ଏହି ଅର୍ଥକୁ ବି ପିଲାମାନେ ଦେବାକୁ ପଛାଉ ନାହାନ୍ତି। ଏମିତି ଏକ କାମ କରି ଉଦାହରଣ ସାଜିଛନ୍ତି ରାଜସ୍ଥାନ ଜୟପୁରର ଚୁରୁରେ ଥିବା ଦୁଇ ଭାଇଭଉଣୀ। ଏମାନେ ହେଉଛନ୍ତି ତୃପ୍ତା ପୁରୋହିତ ଏବଂ ଚିରାଗ ପୁରୋହିତ। ଏହି ଦୁଇ ଭାଇଭଉଣୀ ଅନେକ ଦିନ ଧରି ନିଜ ଘଡ଼ିରେ ସଞ୍ଚୟ କରି ରଖିଥିବା ସମସ୍ତ ଟଙ୍କାକୁ ସ୍ଥାନୀୟ ପ୍ରଶାସନକୁ ଦେଇଛନ୍ତି। ଏଥିପାଇଁ ସେମାନେ ପ୍ରଥମେ ସ୍ଥାନୀୟ କଲେକ୍ଟରଙ୍କୁ ଦେଖାକରି ତାଙ୍କ ପାଖରେ ଥିବା ୪ହଜାର ୧୧୫ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଦେବା ପାଇଁ ନିବେଦନ କରିଥିଲେ। ତାଙ୍କର ଏହି ଅର୍ଥ ରାଶି କରୋନା ଲାଗି ହୋଇଥିବା ଲକ୍‌ଡାଉନରେ ପ୍ରଭାବିତ ଗରିବ ଲୋକଙ୍କ କାମରେ ଲଗାଇବା ପାଇଁ ସେମାନେ ନିବେଦନ କରିଛନ୍ତି।
ଚିରାଗ ପଞ୍ଚମ ଶ୍ରେଣୀରେ ପଢୁଥିବାବେଳେ ତାଙ୍କ ଭଉଣୀ ତୃପ୍ତା ସପ୍ତମ ଶ୍ରେଣୀର ଛାତ୍ରୀ। ଏବେ କରୋନା ଭାଇରସ୍‌ ପାଇଁ ଲକ୍‌ଡାଉନ୍‌ ହେବା କାରଣରୁ ସେମାନେ ଗରିବ ଦିନ ମଜୁରିଆଙ୍କ କଷ୍ଟ ସମ୍ପର୍କରେ ଗଣମାଧ୍ୟମରୁ ଜାଣିପାରି ନିଜ ପାଖରେ ଥିବା ସଞ୍ଚିତ ଅର୍ଥକୁ ଦାନ କିରବା ଲାଗି ନିଷ୍ପତ୍ତି ନେଇଥିଲେ।