Categories: ଅନୁଗୋଳ

ଗ୍ରାହକଙ୍କ ପସନ୍ଦ ଚକୁଳି ପିଠା

ବଅଁରପାଳ,୧୩।୭(ଡି.ଏନ.ଏ.)- ସକାଳ ହେଉ କି ସନ୍ଧ୍ୟା, ତାଙ୍କ ହାତ ତିଆରି ଚକୁଳି ପିଠା ଖାଇବାକୁ ଦୋକାନରେ ବଢ଼ୁଛି ଭିଡ଼। ମସଲା ଦୋସା ପାଇଁ ଗ୍ରାହକଙ୍କଠାରୁ ମିଳୁଛି ବହୁ ଅର୍ଡର। ଗ୍ରାହକଙ୍କୁ ସନ୍ତୁଷ୍ଟ କରିପାରୁଥିବାରୁ ଦୋକାନ ମାଲିକ ମଧ୍ୟ ତାଙ୍କ ଉପରେ ଖୁସି ଅଛନ୍ତି। ଭଲ ଦରମା ବି ଦେଉଛନ୍ତି। ଫଳରେ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ନେଇ ତେଲ ଲୁଣର ସଂସାର ଚଳାଇବାରେ କିଛି ଅସୁବିଧା ହେଉନି ବୋଲି କହିଛନ୍ତି ନାଲ୍‌କୋ ସେଣ୍ଟ୍ରାଲ ମାର୍କେଟ ପାଖ ଏକ ଜଳଖିଆ ଦୋକାନର ମିସ୍ତ୍ରି ରୋହିତ କୁମାର ବାରିକ (୫୩)।
ଢେଙ୍କାନାଳ ଜିଲା ଯୋରନ୍ଦା ଅଞ୍ଚଳର ରୋହିତଙ୍କ କହିବା ଅନୁଯାୟୀ, ଗଁା ସ୍କୁଲରେ ସେ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି। ଆର୍ଥିକ ଅଭାବ ଯୋଗୁ ପାଠ ଛାଡ଼ିବା ପରେ ସେ ରୋଜଗାର ଆଶାରେ ଭୁବନେଶ୍ୱରକୁ ଚାଲି ଯାଇଥିଲେ। ସେଠାରେ ଏକ ହୋଟେଲରେ ଅଇଁଠା ବାସନ ମାଜୁଥିଲେ। ପରେ କଟକ, ଢେଙ୍କାନାଳ, ଗୋବିନ୍ଦପୁର, ତାଳଚେର ଅଞ୍ଚଳର ବିଭିନ୍ନ ହୋଟେଲ ଓ ଜଳଖିଆ ଦୋକାନରେ କାମ କଲେ। ଧୀରେ ଧୀରେ ଜଳଖିଆ ଓ ମିଠା ପ୍ରସ୍ତୁତ କରିବା ଶିଖିଲେ। ଏବେ ନାଲ୍‌କୋ ଅଞ୍ଚଳର ଏକ ହୋଟେଲରେ ମିସ୍ତ୍ରି ଭାବେ କାମ କରୁଛନ୍ତି। ସ୍ବାଦିଷ୍ଟ ଚକୁଳି ଓ ଦୋସା ପ୍ରସ୍ତୁତ କରିପାରୁ ଥିବାରୁ ସମସ୍ତଙ୍କ ନିକଟରେ ସେ ପରିଚିତ ହୋଇପାରିଛନ୍ତି। ଗ୍ରାହକଙ୍କ ମନ ମୁତାବକ ଖାଦ୍ୟ ପସ୍ତୁତ କରି ସେ ମାଲିକଙ୍କ ପ୍ରିୟପାତ୍ର ହୋଇଛନ୍ତି। ଦୈନିକ ସକାଳେ ଓ ସନ୍ଧ୍ୟାରେ ତାଙ୍କ ହାତ ତିଆରି ଚକୁଳି ଓ ଦୋସା ସହ ସମ୍ବର, ଚଟଣି ଖାଇବାକୁ ଗ୍ରାହକଙ୍କ ଭିଡ଼ ହେଉଥିବାରୁ ଏହା ତାଙ୍କୁ ସନ୍ତୋଷ ଦେଉଥିବା ରୋହିତ କହିଛନ୍ତି।