Categories: ମେଟ୍ରୋ

ଗୋପ ବ୍ଲକରେ ଘରଭଙ୍ଗା ସର୍ଭେରେ ସ୍ବଚ୍ଛତା ଆଣିବା ଦାବି: ବିଜେଡି ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର

ଗୋପ,୧୩।୬(ଡି.ଏନ୍‌.ଏ.): ବାତ୍ୟା ‘ଫନୀ’ରେ ଗୋପ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏସବୁ ତର୍ଜମା କରାଯିବା ପରେ ଘରଭଙ୍ଗା କ୍ଷତିପୂରଣ ଦିଆଯିବ। ତେବେ ଏହି ସର୍ଭେରେ ଅନିୟମିତତା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଗୁରୁବାର ପୂର୍ବାହ୍ନରେ ଗୋପ ବ୍ଲକ ବିଜେଡି ସଭାପତି ମଧୁସୂଦନ ପାଇକରାୟ, ଯୁବନେତା ସୁକାନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ବ୍ଲକ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଗୋପ ତହସିଲ ଅଫିସ ଘେରାଉ କରିଥିଲେ। ସେମାନେ ଘରଭଙ୍ଗା ତଦନ୍ତରେ ବ୍ୟାପକ ଅନିୟମିତତା କରାଯାଉଥିବା ନେଇ ଅଭିଯୋଗ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିସହ ବିନାରେଶନକାର୍ଡଧାରୀଙ୍କୁ ଠିକ ତଦନ୍ତ କରି ସରକାରଙ୍କ ପକ୍ଷରୁ ଦିଆଯାଉଥିବା ରାଶି ପ୍ରଦାନ ଲାଗି ଦାବି କରାଯାଇଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।