Categories: ମେଟ୍ରୋ

ଗୋଟିଏ ରାତିରେ ୨ ଘରୁ ଚୋରି; ଦୁର୍ବୃତ୍ତ ଲୁଟି ନେଲେ ସୁନା, ଟଙ୍କା

ପାତ୍ରପଡା, ୧୧।୭ (ଡି.ଏନ.ଏ.)  ତମାଣ୍ଡୋ ଥାନା ବିଜିପୁର ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୨ ଘର ଗ୍ରୀଲ ତାଡି ସୁନା ଅଳଙ୍କାର ସହ ୩୫ ହଜାର ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଛନ୍ତି। ଏ ନେଇ ବୁଧବାର ଥାନାରେ ଅଭିଯୋଗ ହୋଇଛି। ପୋଲିସ ସୂଚନା ମୁତାବକ, ବିଜିପୁର ପ୍ଲଟ ନଂ. ୭୩୫, ୮୯୫, ୧୦୨୯ରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଧନଞ୍ଜୟ ମହାନ୍ତି ପରିବାର ସହ ରୁହନ୍ତି। ବିଳମ୍ବିତ ରାତିରେ ଘର ପଛପଟ ଗ୍ରୀଲ ତାଡି ଦୁର୍ବୃତ୍ତମାନେ ଆଲମିରା ଭାଙ୍ଗି ୧୫ ହଜାର ଟଙ୍କା ସହ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲେ। ସେହିପରି ପ୍ଲଟ ନଂ. ୭୩୫, ୮୫୬, ୧୩୧୪ରେ ରହୁଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ଧୀରେନ୍ଦ୍ର କୁମାର ସାହୁଙ୍କ ଘର ଗ୍ରୀଲ ତାଡି ୨୦ ହଜାର ଟଙ୍କା, ଗୋଟିଏ ସୁନା ଚେନ, ୨ ଗୋଟି ମୁଦି, ଛୋଟ ଚେନ, ଆଲମିରା ଭାଙ୍ଗି ନେଇ ଯାଇଛନ୍ତି। ଚୋରି ସମ୍ପର୍କରେ ସକାଳୁ ପରିବାର ଲୋକେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ଘଟଣାସ୍ଥଳରେ ଅନୁସନ୍ଧାନ କରି ଫେରି ଯାଇଛି।