Categories: Home Leftଖେଳ

ଗୋଟିଏ ବର୍ଷରେ ଅଧିକ ଇଭେଣ୍ଟରେ ପଦକ ଜିତିବାରୁ ପ୍ରୋତ୍ସାହନ ରାଶି କମିଲା

ଚଣ୍ଡିଗଡ଼,୨୬।୬- ହରିୟାଣା ସରକାର ଅନ୍ତର୍ଜାତୀୟ ଇଭେଣ୍ଟରେ ପଦକ ବିଜେତାଙ୍କ ପ୍ରୋତ୍ସାହନ ରାଶି ଲାଗି ୯ ମାସ ପୂର୍ବେ ନୂଆ ନିୟମ ଆଗତ କରିଥିଲେ। ରାଜ୍ୟର ଆଥ୍‌ଲେଟ, ଯେଉଁମାନେ ଗତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ୍‌ ଗେମ୍ସରେ ପଦକ ଜିତିଥିଲେ, ସେମାନଙ୍କ ପୁରସ୍କାର ରାଶି କମାଇ ଦିଆଯାଇଛି। ଏହା ନୂଆ ନିୟମ ଅନୁଯାୟୀ କରାଯାଇଛି। ବିଶ୍ୱର ନଂ.୧ ର଼୍ୟାଙ୍କ୍‌ ବଜରଙ୍ଗ ପୁନିଆ ଓ ଏସିଆନ୍‌ ଗେମ୍ସ ଚାମ୍ପିୟନ ଭିନେଶ ଫୋଗତ ଉଭୟ ଇଭେଣ୍ଟରେ ପଦକ ଜିତିଥିଲେ। ସେମାନଙ୍କୁ ଧାର୍ଯ୍ୟ ପୁରସ୍କାର ରାଶିଠାରୁ କମ୍‌ ଦିଆଯାଇଛି। ଗୋଟିଏ ବର୍ଷରେ ଜଣେ ଆଥ୍‌ଲେଟ ଗୋଟିଏରୁ ଅଧିକ ପଦକ ଜିତିଲେ, ତାଙ୍କ ଶୀର୍ଷ ପଦକ ଲାଗି ସମ୍ପୂର୍ଣ୍ଣ ପୁରସ୍କାର ରାଶି ଓ ଅନ୍ୟ ପଦକ ପାଇଁ ୫୦ ପ୍ରତିଶତ ରାଶି ମିଳିବ। ରାଜ୍ୟର ୩ ହଜାର ଆଥ୍‌ଲେଟ୍‌ଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଗତ ସପ୍ତାହରେ ଜମା କରାଯାଇଥିଲା। ଏହାପରେ ପୁନିଆ ପୁରସ୍କାର ରାଶିଠାରୁ କମ୍‌ ମିଳିଥିବା ଟୁଇଟ୍‌ କରିଥିଲେ। ରେସ୍‌ଲର ଭିନେଶ ମଧ୍ୟ ସମାନ ଘଟଣା ସମ୍ପର୍କରେ ଟୁଇଟ୍‌ କରିଥିଲେ। ୩ କୋଟି ବଦଳରେ ୨.୨୫ କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିଛି। ପ୍ରଥମତଃ ରାଜ୍ୟ ସରକାର ପଦକଧାରୀଙ୍କ ଲାଗି ପୁରସ୍କାର ରାଶି ବଣ୍ଟନ ଉତ୍ସବକୁ ରଦ୍ଦ କରିଥିଲେ। ଆଉ ଏବେ ନୂଆ ନିୟମ କାର୍ଯ୍ୟକାରୀ କରିଛନ୍ତି। ସରକାର ଆମ ସହ ସାବତପୁଅ ଭଳି ବ୍ୟବହାର କରୁଛି। ହରିୟାଣା ଦେଶର ସବୁଠାରୁ ଅଧିକ ପଦକ ଆଣୁଥିବା ରାଜ୍ୟ, ହେଲେ ରାଜ୍ୟ ସରକାର ଆମକୁ ବୋଝ ଭଳି ବ୍ୟବହାର କରୁଛନ୍ତି ବୋଲି ପୁନିଆ କହିଛନ୍ତି। ଉଲ୍ଲେଖଥାଉ କି, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଜିତିଥିବା ୬୬ ପଦକ ମଧ୍ୟରୁ ୨୨ଟି ପଦକ କେବଳ ହରିୟାଣା ଆଥ୍‌ଲେଟ୍‌ ଜିତିଥିଲେ। ସେହିପରି ଏସିଆନ୍‌ ଗେମ୍ସରେ ଭାରତ ୬୧ ପଦକ ହାତେଇଥିବାବେଳେ ହରିୟାଣା ଭାଗ୍ୟରେ ୧୭ ପଦକ ପଡ଼ିଥିଲା। ବଜରଙ୍ଗ ପୁନିଆ, ଭିନେଶ ଫୋଗତ ଓ ନୀରଜ ଚୋପ୍ରାଙ୍କ ଭଳି ଖେଳାଳି ଉଭୟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ପାଇଥିଲେ।