ଗୁଜବ ପ୍ରତି ସାବଧାନ

ବୈକୁଣ୍ଠନାଥ ମିଶ୍ର

ଏହା ଏକ ସାଧାରଣ ଅନୁଭୂତି ଯେ ଅନେକ ଭିତ୍ତିହୀନ ଅପପ୍ରଚାର ହଠାତ୍‌ ଜନମାନସରେ ଜାଗ୍ରତ ହୋଇ ତଡିତ୍‌ ବେଗରେ ସମାଜରେ ଖେଳିଯାଇ ସମ୍ପୂର୍ଣ୍ଣ ସମାଜକୁ କବଳିତ କରେ। ଘଟଣାର ସତ୍ୟତା ପରୀକ୍ଷା ନ କରି ଅବିଳମ୍ବେ ଜନ ସମୁଦାୟ ଏହାକୁ ଗ୍ରହଣ କରି ନିଅନ୍ତି, ଯାହା ଗୁଜବ ନାମରେ ଅପଖ୍ୟାତି ଲାଭ କରିଛି। ଏହାର ଭୀଷଣ ପଞ୍ଝାରେ ମଷିଣ ନିମିଷକେ କବଳିତ ହୋଇଯାଏ। ବହୁଦିନ ତଳେ ଆମ ଅଞ୍ଚଳରେ ଏକ କୌତୂହଳପୂର୍ଣ୍ଣ ଘଟଣାର ଜନଶ୍ରୁତି ଏବେ ମଧ୍ୟ ପୁରପଲ୍ଲୀରେ ଲୋକକଥା ଭାବେ ପ୍ରଚଳିତ। ଏକ ଶୀତୁଆ ସନ୍ଧ୍ୟାରେ ତିନି ନିଶାସକ୍ତ ବନ୍ଧୁ ପ୍ରଚୁର ନିଶାରେ ଉବୁଟୁବୁ ହୋଇ ଏକତ୍ର ଖୁସିଗପରେ ମଜ୍ଜି ଯାଇଥାନ୍ତି ଓ ମଝିରେ ମଝିରେ କିଛି ବାଦାମ ଭଜା ଖାଉଥାନ୍ତି। ଗୋଟିଏ ବାଦାମ ଚୋପା ନିକଟରେ ଥିବା ଏକ ପାଣି କୁଣ୍ଡରେ ପଡ଼ି ହାଲ୍‌କା ପବନରେ କୁଣ୍ଡସାରା ଖେଳି ବୁଲୁଥାଏ। ସେମାନଙ୍କ ଭିତରୁ ଜଣେ କହିଲା, ଦେଖ କୁଜଙ୍ଗ ରାଜାଙ୍କ ବୋଇତ କିପରି ଦରିଆରେ ଭାସୁଛି। କିଛି ସମୟ ପରେ ଚୋପାଟି ଭିଜିଯାଇ କୁଣ୍ଡରେ ବୁଡ଼ିଗଲା। ହଠାତ୍‌ ତିନିବନ୍ଧୁ ଚିତ୍କାର କରି ଉଠିଲେ, ଆମ ରାଜାଙ୍କ ବୋଇତ ଦରିଆେରେ ବୁଡ଼ିଗଲା। ତୁଣ୍ଡବାଇଦ ସହସ୍ର କୋଶ ନ୍ୟାୟରେ କଥାଟା ଚାରିଆଡ଼େ ବ୍ୟାପିଗଲା। ସତକୁ ସତ କୁଜଙ୍ଗ ରାଜାଙ୍କ ବୋଇତ କିଛିଦିନ ଆଗରୁ ବାଣିଜ୍ୟ ଉଦ୍ଦେଶ୍ୟରେ ନୀଳଦରିଆର ବୁକୁଚିରି ବିଦେଶ ଯାତ୍ରା କରିଥାଏ। ରାଜା ବିବ୍ରତ ହୋଇପଡ଼ିଲେ। ଠିକ୍‌ ସେତିକିବେଳେ ପୂର୍ବରୁ ଯାଇଥିବା କନିକା ରାଜାଙ୍କ ବୋଇତ ବାଣିଜ୍ୟରୁ ଫେରି କୂଳରେ ଲାଗିଲା। ତାଙ୍କଠାରୁ ଖବର ମିଳିଲା ଯେ, କୁଜଙ୍ଗ ବୋଇତ ସଫଳତା ସହିତ ଜାଭା ଦ୍ୱୀପରେ ପହଞ୍ଚତ୍ଛି ଓ କୁଜଙ୍ଗ ରାଜାଙ୍କ ପାଇଁ ସେମାନେ ଶୁଭ ସମାଚାର ମଧ୍ୟ ଆଣିଛନ୍ତି। ତା’ପରେ ଅନୁସନ୍ଧାନ ଚାଲିଲା- ଏପରି ଖବରର ସ୍ରଷ୍ଟା କିଏ? ଜଣ ଜଣ କରି ଜିଜ୍ଞାସା କରି ଅନୁସନ୍ଧାନକାରୀ ଦଳ ଶେଷରେ ସେ ତିନି ନିଶାସକ୍ତ ବ୍ୟକ୍ତିଙ୍କ ନିକଟରେ ପହଞ୍ଚତ୍ଲେ। ବିଚରା ମାଦକ ପ୍ରଭାବରେ ଏକଥା କହିଥିବା ସ୍ବୀକାର କଲା ପରେ ତାଙ୍କୁ ରାଜକ୍ଷମା ମିଳିଲା।
୮୦ ଦଶକରେ ଡିସ୍କୋ ନାମକ ଏକ ରୋଗ ବ୍ୟାପୁଥିବାର ଗୁଜବ ଓଡ଼ିଶାର ପୁରପଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପ୍ରବଳ ଜ୍ୱର ସହ ପୁରୁଷଙ୍କ ପୁରୁଷତ୍ୱ ଲୋପ ପାଉଥିବାର ଏକ ଅପପ୍ରଚାର ଶିକ୍ଷିତ ଅଶିକ୍ଷିତ ନିର୍ବିଶେଷରେ ସମସ୍ତଙ୍କ ଭାବାବେଗକୁ ଆଚ୍ଛନ୍ନ କରିଥିଲା। କଣ୍ଟାଲେଉଟିଆ ନାମକ ଏକ ଗୁଳ୍ମ ଚେରର ରସପାନ କଲେ ଏହି ରୋଗରୁ ଉପଶମ ମିଳିବା ସହ ଏହି ରସ ମଧ୍ୟ ସଫଳ ପ୍ରତିଷେଧକ ବୋଲି ପ୍ରଚାରିତ ହେଲା। ଫଳରେ ଅତି କମ୍‌ ଦିନ ମଧ୍ୟରେ ଉକ୍ତ ଗୁଳ୍ମ ସମ୍ପୂର୍ଣ୍ଣ ଲୋପପାଇଗଲା। ସମ୍ପ୍ରତି କରୋନାର ପ୍ରତିକାର ସ୍ବରୂପ ତୁଳସୀ ପତ୍ରର ରସ ସେବନର ଏତେ ପ୍ରଚାର ହେଲା ଯେ ଦିନ କେତେଟାରେ ବାଡ଼ିବଗିଚା ତୁଳସୀ ଶୂନ୍ୟ ହୋଇଗଲା। ଅନେକ ସମୟରେ ଏପରି ଗୁଜବ ଶୁଣିବାକୁ ମିଳେ ଯେ ମା’ ମଙ୍ଗଳାଙ୍କ ସ୍ବପ୍ନାଦେଶ କ୍ରମେ ସଧବାନାରୀ ଯଦି ବାପଘରୁ ଶାଢ଼ିଚୁଡ଼ି ଓ ମୁଢ଼ି ଆଣି ମା’ଙ୍କୁ ସମର୍ପଣ ପରେ ନିଜେ ବ୍ୟବହାର କରନ୍ତି ତେବେ ସ୍ବାମୀଙ୍କ ଉପରକୁ ଆସିବାକୁ ଥିବା ସମସ୍ତ ବିପଦ ଦୂରୀଭୂତ ହେବ। ପୁଣି କେତେବେଳେ ଶୁଣାଯାଏ ଯେ ଗୋଟିଏ ପୁଅ ଥିବା ମା’ ଦୁଇ ବା ତତୋଧିକ ପୁଅ ଥିବା ମା’ଠାରୁ ଶାଢ଼ି ଆଣି ମଙ୍ଗଳାଙ୍କ ନାମରେ ପୂଜା କରି ପରିଧାନ କଲେ ଉଭୟ ମା’ଙ୍କ ପିଲାଙ୍କର ରିଷ୍ଟ ଖଣ୍ଡନ ହେବ।
ଗଣେଶ ମୂର୍ତ୍ତି କ୍ଷୀର ପାନ କରୁଥିବା ଭଳି ବିସ୍ମୟକର ଗୁଜବ ହେଉ, ସିମେଣ୍ଟ ନିର୍ମିତ ଗାଈ କ୍ଷୀର ପାନ କରୁଥିବାର ଚାଞ୍ଚଲ୍ୟକର ଅପପ୍ରଚାରର ଚକ୍ରାନ୍ତକାରୀ କତିପୟ ଆତ୍ମଘୋଷିତ ବାବାଙ୍କର ସାଧାରଣ ନରନାରୀଙ୍କର ଦୁର୍ବଳ ମାନସିକତାକୁ ଆକ୍ରାନ୍ତ କରିବାର ସୁକୌଶଳ ପ୍ରୟାସ ହେଉ- ଏ ସମସ୍ତ କାରସାଦି ସମାଜକୁ ରୁଗ୍‌ଣ କରିଥାଏ। ଏହି ଖଳ ପ୍ରକୃତି ସମ୍ପନ୍ନ ସମାଜ ବିରୋଧୀଙ୍କ ହୀନ ପ୍ରୟାସ। ସେହିପରି କିଛି ଜୀବଜନ୍ତୁଙ୍କୁ ତାଲିମ ଦିଆଯାଇ ଜନମାନସକୁ ପ୍ରଭାବିତ କରାଯିବାର ହୀନ ପ୍ରୟାସ ଏ ସମାଜରେ ବହୁ ପୂରାକାଳରୁ ପ୍ରଚଳିତ ହୋଇ ଆସୁଥିଲା। ମାଙ୍କଡ଼ ନାଚ ପ୍ରଦର୍ଶନ କରୁଥିବା ମାଙ୍କଡ଼ ନିକଟରେ ହଜିଲା ପଦାର୍ଥ ମିଳିବା ଆଶାରେ କିମ୍ବା ଦୀର୍ଘଦିନ ନିରୁଦ୍ଦିଷ୍ଟ ବ୍ୟକ୍ତିର ସନ୍ଧାନପ୍ରାପ୍ତି ଆଶାରେ ମାଙ୍କଡ଼କୁ ପ୍ରଶ୍ନ କରାଯାଏ। ତା’ ମୁଖମଣ୍ଡଳର ବିଭିନ୍ନ ଠାଣିକୁ ଦେଖି ମାଙ୍କଡ଼ ମାଲିକ ପ୍ରଶ୍ନର ଉତ୍ତର ଦେଇଥାଏ। ସାଧାରଣତଃ ଏସବୁ ପ୍ରଶ୍ନର ଉତ୍ତର ସକାରାତ୍ମକ ହୋଇଥାଏ। ନଚେତ୍‌ ମାଲିକର ଆର୍ଥିକ କ୍ଷତିର ସମ୍ଭାବନା ଥାଏ। ଗ୍ରାମରେ ସଂକ୍ରାମକ ରୋଗ ବ୍ୟାପୁଥିଲେ ଲୋକେ ଗଁା ମୁଣ୍ଡରେ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ପଣା ଦେଉଥିଲେ। ଏଥିରେ ମା’ ସନ୍ତୁଷ୍ଟ ହୋଇ ରୋଗ କବଳରୁ ଗଁାକୁ ରକ୍ଷା କରିବାର ଅନ୍ଧବିଶ୍ୱାସ ଆଜି ବି ଏକବିଂଶ ଶତାବ୍ଦୀରେ ଦୃଶ୍ୟ ହୁଏ। ସାମାନ୍ୟ ଚିନ୍ତା କରିବା କଥା- ମନ୍ଦିରରେ ଦେବୀଙ୍କୁ ଉପାସନା ଓ ନୈବେଦ୍ୟ ପ୍ରଦାନ ନ କରି ଗାଁ ମୁଣ୍ଡରେ କୁକୁର ବିଲେଇଙ୍କୁ ଦେଲାପରି ପଣାହାଣ୍ଡି ରଖିଲେ ଦେବୀ ମା’ ପ୍ରସନ୍ନ ହେବା ପରିବର୍ତ୍ତେ କ୍ରୋଧିତ ହେବେ ନାହିଁ ତ? ସେହିପରି ଝଡ଼ାଫୁଙ୍କା ଓ ଶିଶୁମାନଙ୍କୁ ତପ୍ତଲୌହ ଚେଙ୍କ ପରି ଅମାନୁଷିକ କାର୍ଯ୍ୟାବଳୀ ଏବେ ମଧ୍ୟ ଗ୍ରାମାଞ୍ଚଳରେ ପ୍ରଚଳିତ। ଅନେକ ସମୟରେ ଗୁଣିଆ ପ୍ରଦତ୍ତ ଚେରମୂଳି ପ୍ରଭାବରେ ରୋଗ ଉପଶମ ହେଉଥିଲେ, ଗୁଣିଆ ପ୍ରତି ବିଶ୍ୱାସ ପ୍ରଗାଢ଼ତର ହୁଏ। ତା’ପରେ ଗୁଣିଆ ବ୍ରହ୍ମା ପାଲଟିଯା’ନ୍ତି ଓ ତାଙ୍କ ବାଣୀ ହୋଇଯାଏ ବେଦର ଗାର। କିଛି ଶଠ ବ୍ୟକ୍ତି ସାଧୁ ସନ୍ନ୍ୟାସୀ ବେଶରେ ରୋଗର ପ୍ରତିକାର କିମ୍ବା ସନ୍ତାନ ନ ହେବାର ପ୍ରତିକାର ସ୍ବରୂପ ପୂଜାପାଠ କରନ୍ତି। ପୂଜାପାଠ ଆଳରେ ଟଙ୍କା, ସୁନା ହାତେଇବା ଏବଂ ସ୍ଥଳ ବିଶେଷରେ ସନ୍ତାନକାମୀ ମହିଳାଙ୍କ ସହ ଅସଭ୍ୟ ଆଚରଣର ପରିଣତି ସ୍ବରୂପ ଲୋକ ଲଜ୍ଜାରେ ମହିଳା ଜଣକ ଆତ୍ମହତ୍ୟାର ପଥ ବାଛି ନିଅନ୍ତି।
ଗୁଜବର ନ ଥାଏ କୌଣସି ନିର୍ଦ୍ଦିଷ୍ଟ ରୂପରେଖ କିମ୍ବା ଏହାର ପ୍ରସାରରେ ନ ଥାଏ କୌଣସି ଭୌଗୋଳିକ ସୀମାରେଖା। ଏହା କୌଣସି ସମୟରେ କୌଣସି ସ୍ଥାନରେ ଆତ୍ମପ୍ରକାଶ କରିପାରେ। ଅନେକ ସମୟରେ କାନଶୁଣା କଥା ଭୟଙ୍କର ଭାବେ ପ୍ରସାରିତ ହୋଇ ଜନମାନସକୁ ଆକ୍ରାନ୍ତ କରେ। କିଛିବର୍ଷ ତଳେ ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲାର ସୀମା ସ୍ପର୍ଶ କରୁଥିବା ଏକ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଗୋଜବାୟାଣୀଙ୍କ ପ୍ରତ୍ୟକ୍ଷ ସଂଦର୍ଶନ ଓ ଅତି ଜଟିଳ ରୋଗକୁ ଆରୋଗ୍ୟ କରିଦେଉଥିବାର ପ୍ରଚାର ଜନମାନସକୁ ବେଶ୍‌ ଆଚ୍ଛନ୍ନ କରିଥିଲା। ଗୁରୁବାର ସଧବା ହିନ୍ଦୁ ନାରୀ ମା’ଙ୍କ ନିକଟରେ ଲାଗି ହୋଇଥିବା ଆମିଷ ଭକ୍ଷଣ କରି ପରେ ଅନୁତାପ ଅନଳରେ ଦଗ୍ଧ ହୋଇଛନ୍ତି। ଏପରି କି ମା’ଙ୍କ ମହିମା ପ୍ରଚାର ଉଦ୍ଦେଶ୍ୟରେ ଏକ ଓଡ଼ିଆ ଚଳଚ୍ଚିତ୍ର ମଧ୍ୟ ନିର୍ମିତ ହୋଇଥିଲା। କିଛିଦିନ ତଳେ କଟକ ଜିଲା ନିଆଳି ଅଞ୍ଚଳରେ ମେଣ୍ଢାମାନଙ୍କର ସନ୍ଦେହଜନକ ମୃତ୍ୟୁ କ୍ରମେ ଗୁଜବର ରୂପ ଧାରଣ କରି ଅନ୍ୟ ଅଞ୍ଚଳକୁ ମଧ୍ୟ ସଂପ୍ରସାରିତ ହୋଇଥିଲା। ଅଶୀ ଦଶକରେ କଟକ ଜିଲାର ବଡ଼ମ୍ବା ନରସିଂହପୁର ଅଞ୍ଚଳରେ ରାମଶିଆଳ ଆତଙ୍କ ବେଶ୍‌ କିଛିଦିନ ଭୟର ବାତାବରଣ ସୃଷ୍ଟି କରିଥିଲା। ଅନେକ ସମୟରେ ଭୂତ କର୍ତ୍ତୃକ ଆକସ୍ମିକ ଅଗ୍ନି ପ୍ରଜ୍ୱଳନ, ଶୂନ୍ୟରୁ ବାଲି, ଗୋଡ଼ି, ଅସ୍ଥି ଓ ଆବର୍ଜନା ବର୍ଷଣ ଜନମାନସରେ ଭୟର ବାତାବରଣ ସୃଷ୍ଟି କରିଥାଏ। କିଛିଦିନ ତଳେ ଲୁଣର ଅଭାବକୁ ନେଇ ଏପରି ଗୁଜବ ପ୍ରଚାରିତ ହେଲା, ଯଦ୍ଦ୍ବାରା ଲୁଣ କିଲୋ ପିଛା ହଠାତ୍‌ ୧୦ ଟଙ୍କାରୁ ବୃଦ୍ଧି ପାଇ ୭୦/୮୦ ଟଙ୍କାରେ ବିକ୍ରି ହେଲା। କେବଳ ଓଡ଼ିଶା ନୁହେଁ, ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଏପରି ସ୍ଥିତି ସୃଷ୍ଟି ହେଲା। ବେଳେବେଳେ ରେଳଷ୍ଟେଶନରେ, ବିମାନବନ୍ଦରରେ ଓ ବସ୍‌ଷ୍ଟାଣ୍ଡ୍‌ ଭଳି ଜନବହୁଳ ସ୍ଥାନରେ ବୋମା ଖଞ୍ଜାଯାଇଥିବାର ଗୁଜବ ସୃଷ୍ଟି କରାଯାଏ। ୨୦୧୯ ନଭେମ୍ବରରେ ଆନ୍ଧ୍ରପ୍ରଦେଶର ଗୋଳଠମ ରେଳଷ୍ଟେଶନରେ ଏକ ଗୁଜବ ପ୍ରଚାରିତ ହେଲା ଯେ ଆଲେପି-ଧାନବାଦ ଟ୍ରେନ୍‌ରେ ନିଆଁ ଲାଗିଛି। ଫଳରେ ଆରମ୍ଭ ହୋଇଗଲା ପ୍ରବଳ ଧାଁଦଉଡ଼ ଓ ଧସ୍ତାଧସ୍ତି। ଅନ୍ୟ ଏକ ଟ୍ରାକ୍‌ରେ ଆସୁଥିବା ଟ୍ରେନ୍‌ ଧକ୍କାରେ ଅନେକ ମୃତାହତ ହେଲେ। ଧସ୍ତାଧସ୍ତିରେ ମଧ୍ୟ କିଛି ଲୋକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କଲେ। ୨୦୧୯ ଅକ୍ଟୋବରରେ ଦଶହରା ସମୟରେ ମଧ୍ୟପ୍ରଦେଶର ଦାତିଆ ଜିଲାରେ ରତ୍ନଗଡ଼ ମନ୍ଦିରକୁ ସଂଯୋଗ କରୁଥିବା ଏକ ନଦୀ ପୋଲ ଭୁଶୁଡ଼ି ପଡ଼ିବାର ଗୁଜବ ପ୍ରଚାରିତ ହେଲା। ତା’ ପରେ ପରେ ଧସ୍ତାଧସ୍ତି, ଠେଲାପେଲା ଓ ଧାଁଦଉଡ଼ରେ ଚାହୁଁ ଚାହୁଁ ୧୧୫ ଜଣ ଶ୍ରଦ୍ଧାଳୁଙ୍କ ଜୀବନଦୀପ ଲିଭିଗଲା।
ଅନେକ ସମୟରେ କିଛି ସମାଜବିରୋଧୀ ଲୋକପୀଡ଼କଙ୍କ କ୍ରୂର ମାନସିକତାର ପ୍ରତିଫଳନ ହେଉଛି ଗୁଜବ। ଗୁଜବର ଧୂମ ଅପସୃତ ହୋଇ ସତ୍ୟର ଆଲୋକ ବିଚ୍ଛୁରିତ ହେଲା ବେଳକୁ ଅନେକ ବିଳମ୍ବ ଘଟି ସାରିଥାଏ। ଲୋକେ ସତ୍ୟତା ହୃଦୟଙ୍ଗମ କଲାବେଳକୁ ଆଉ କିଛି ଅବଶିଷ୍ଟ ନ ଥାଏ। ଯାହା ଥାଏ ତାହା କେବଳ ଅନୁଶୋଚନା ଓ ପୁଞ୍ଜିଭୂତ ବେଦନା। ସେଥିପାଇଁ ଶାସ୍ତ୍ର କହେ ବିପଦ ସମୟରେ ଧୈର୍ଯ୍ୟ ହିଁ ମହୌଷଧି । ଅନାଗତ ଭୟ ଓ ଭୟରୁ ସହଜରେ ମୁକ୍ତିଲାଭ କରିବାର ବ୍ୟାକୁଳତା ମଣିଷକୁ କଠୋର ପ୍ରତିଫଳ ଭୋଗ କରିବାକୁ ଛାଡ଼ିଦେଇଥାଏ। ଦେଶ ବର୍ତ୍ତମାନ କରୋନାର ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଥିବା ସମୟରେ ଏ ଗୁଜବ ସୃଷ୍ଟିକାରୀଙ୍କ ଅପପ୍ରଚାର ସମାଜକୁ ଭୀଷଣ ପ୍ରଭାବିତ କରୁଛି। ଗୁଜବ ସୃଷ୍ଟିକାରୀ ଅପପ୍ରଚାର ମାଧ୍ୟମରେ ବେଶ୍‌ ଆମୋଦିତ ହୁଅନ୍ତି। ଏମାନଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଗୁଜବ ଶୁଣିବା ମାତ୍ରକେ କୌଣସି ବ୍ୟଗ୍ରତା ବିନା ସତ୍ୟାସତ୍ୟର ପରୀକ୍ଷଣ ଏକାନ୍ତ ଆବଶ୍ୟକ। ଗୁଜବ ପ୍ରତି ସାବଧାନ।

ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦