ଗାନ୍ଧୀବାଦର ପ୍ରତୀକ…

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରିୟ ‘ଅରଟ’ର ସ୍ଥିତି ଏବେ ରାଜ୍ୟରେ ସଙ୍ଗିନ। ମିଳୁନି ଅରଟରେ ବ୍ୟବହୃତ କଞ୍ଚାମାଲ ‘ବଳଣା’। ପୁଣି ଅରଟରେ ସୂତା କାଟିବା ଲାଗି ଯୁବପିଢି ଆଗ୍ରହୀ ହେଉନାହାନ୍ତି। ବର୍ଷରେ ୫ରୁ ୬ଜଣ ଛାତ୍ରୀଛାତ୍ର ଅରଟରେ ସୂତା କାଟିବା ଲାଗି ଇଚ୍ଛା ପ୍ରକାଶ କରୁଥିବା ବେଳେ ଭବିଷ୍ୟତରେ ଏହି ପରମ୍ପରା ଲୋପ ପାଇଯିବ ବୋଲି ବିଶିଷ୍ଟ ଗାନ୍ଧୀବାଦୀ ନେତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ କନ୍ୟା କୃଷ୍ଣା ମହାନ୍ତି କହିଛନ୍ତି। ଅନୁଗୋଳସ୍ଥିତ ବାଜି ରାଉତ ଛାତ୍ରବାସରେ ସେ ଶିକ୍ଷାଦାନ କରୁଥିବା ବେଳେ ୭୩ତମ ସ୍ବାଧୀନତା ଦିବସ ଅବସରରେ ସେ କହିଛନ୍ତି, ରାଜ୍ୟରେ ଅରଟର ସ୍ଥିତି ସଙ୍ଗିନ ଅବସ୍ଥାରେ ଅଛି। ଅରଟରେ ବ୍ୟବହୃତ ବଳଣା ମିଳୁନାହିଁ କି ଏହାକୁ ଚଳାଇ ସୂତା କାଟିବା ଲାଗି ଆଉ ଯୁବପିଢିଙ୍କ ମଧ୍ୟରେ ଆଗ୍ରହ ନାହିଁ। ଅରଟ ଚଳାଇବା ଲାଗି କାହାକୁ ବାଧ୍ୟ କରିବା ଉଚିତ୍‌ ନୁହେଁ। ଯଦି ଇଚ୍ଛା ନ ଥିବ ତାହେଲେ ଦୁଇ ହାତ ଚାଲିବ ନାହିଁ। ଏବେ ଛାତ୍ରବାସରେ ରହୁଥିବା ବହୁତ୍‌ କମ୍‌ ପିଲା ଅରଟ ଚଳାଇବା ଲାଗି ଇଚ୍ଛା କରୁଛନ୍ତି। ଆଗକୁ ରାଜ୍ୟରେ ଅରଟ ଚଳାଇବା ଲାଗି କେହି ନ ଥିବେ। ପରିବର୍ତ୍ତନଶୀଳ ସମାଜରେ ଆଉ ଅରଟର ଲୋକପ୍ରିୟତା ବି ନାହିଁ । ପୁଣି ସେ କହିଛନ୍ତି, ଦୀର୍ଘ ଦିନ ଧରି ରାଜ୍ୟର ଖଦିବୋର୍ଡ ବଳଣା ପ୍ରସ୍ତୁତ କରୁଥିଲା। ହେଲେ ପରେ ତାକୁ କେତେକ ଏନ୍‌ଜିଓ ହାତକୁ ଟେକି ଦେଇ ଖଦିବୋର୍ଡ ଏହାକୁ ବନ୍ଦ କରି ଦେଇଥିଲା। ଅଳ୍ପ କିଛି ଦିନ ଏନ୍‌ଜିଓ ଏହାକୁ ପ୍ରସ୍ତୁତ କଲେ କିନ୍ତୁ ଉପଯୁକ୍ତ ବ୍ୟବସାୟ ନ ହେବାରୁ ସେମାନେ ବି ଏହାକୁ ପ୍ରସ୍ତୁତ କରିବା ବନ୍ଦ କରିଦେଲେ। ଏବେ ନା ଏନ୍‌ଜିଓ ବଳଣା ପ୍ରସ୍ତୁତ କରୁଛି ନା ଖଦିବୋର୍ଡ। ରାଜ୍ୟରେ ଅରଟ ଚଲାଉଥିବା ବିଭିନ୍ନ କାରିଗର ସେମାନଙ୍କ ବ୍ୟବସାୟ ବନ୍ଦ କରିଦେଲେଣି। ଆଉ କିଛି ଲୋକ ଯିଏ ଅରଟ ଚଳାଇବାକୁ ଭଲପାଆନ୍ତି ସେମାନେ ନାହାନ୍ତି। ବଳଣା ‘ଓ୍ବାର୍ଦ୍ଧା’ ନ ହେଲେ ‘ଗୁଜୁରାଟ’ରେ ନିଶ୍ଚିତ ଭାବେ ମିଳୁଛି ା କିନ୍ତୁ ଅଧିକ ଆବଶ୍ୟକ ନ ପଡ଼ିଲେ ଏତେ ଦୂର ଯିବାକୁ ପଡ଼ିବାରୁ ବଡ଼ ବ୍ୟବସାୟୀମାନେ ମଧ୍ୟ ସେମାନଙ୍କ ବ୍ୟବସାୟ ବନ୍ଦ କରିଦେଲେ। ଆଗକୁ ଅରଟ କେବଳ ଏକ ଉଦାହରଣ ହୋଇ ରହିଯିବ। ତାକୁ କେହି ବ୍ୟବହାର କରିବେ ନାହିଁ, ତାହା ଖାଲି ସଂଗ୍ରହାଳୟରେ ପ୍ରଦର୍ଶନ କରାଯିବ। ଉଲ୍ଲେଖଥାଉ କି, ସ୍ବାଧୀନତା ସଂଗ୍ରାମ ଚାଲିଥିବା ବେଳେ କୃଷ୍ଣା ୮ବର୍ଷର ହୋଇଥିଲେ। ସେହି ସମୟରେ ଉକ୍ତ ଛାତ୍ରାବାସରେ ଥିଲେ ା ଅଗଷ୍ଟ ୧୫ ତାରିଖରେ ସେଠାରେ ପତାକା ଉତ୍ତୋଳନ କରାଯାଇଥିଲା।
ରିପୋର୍ଟ-ସ୍ଥିତପ୍ରଜ୍ଞ ମିଶ୍ର

Share