Close up of male hands in bracelets behind back
ଯୋଡ଼ା, ୨୬।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଲହୁଣିପଶି ଗ୍ରାମରେ ଜଣେ ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଘଟଣାରେ ରବିବାର ପୋଲିସ ଜଣେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତର ନାମ ଶୁକ୍ରା ମୁଣ୍ଡା(୩୨)। ଗତ ୧୫ ତାରିଖ ଅପରାହ୍ନରେ ଉକ୍ତ ଗ୍ରାମର ମହିଳା ଶୁକୁରମୁନି(୫୦) ନିକଟସ୍ଥ ଗ୍ରାମ ଜଙ୍ଗଲରେ ଗାଈ ଚରାଉଥିଲେ। ଏହି ସମୟରେ ଅଭିଯୁକ୍ତ ଶୁକ୍ରା ମୁଣ୍ଡା ତାଙ୍କୁ ଖଇନି ଖାଇବାକୁ ମାଗିଥିଲେ। ସେ ଖଇନି ନ ଦେବାରୁ ଅଭିଯୁକ୍ତ ଶୁକ୍ରା ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରି ଫେରାର ହୋଇଯାଇଥିଲେ। ଏହି ଘଟଣାର ୩ ଦିନ ପରେ ପୋଲିସ ଜଙ୍ଗଲରୁ ମୃତଦେହ ଉଦ୍ଧାର କରି ଏହାର ତଦନ୍ତ ଜାରି ରଖିଥିଲା। ଏହି ହତ୍ୟାକାଣ୍ଡର କାରଣ ସମ୍ପର୍କରେ ଜଣାପଡିଥିଲା ଯେ, ମହିଳା ଶୁକୁରମୁନିଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ହେଉଛନ୍ତି ତାଙ୍କ ସମ୍ପର୍କୀୟ ଦିଅର। ପୂର୍ବରୁ ଉଭୟଙ୍କ ପରିବାର ମଧ୍ୟରେ ଜମିବାଡିକୁ କେନ୍ଦ୍ର କରି ବିବାଦ ଥିଲା । ଏହି ହତ୍ୟାକାଣ୍ଡ ନେଇ ବାମେବାରୀ ଥାନାରେ ଏକ ମାମଲା (ନଂ ୧୦୨/୧୯) ରୁଜୁ ହୋଇଥିଲା। ପୋଲିସ ଦଫା ୩୦୨ ହତ୍ୟା ମାମଲାରେ ଅଭିଯୁକ୍ତ ଶୁକ୍ରା ମୁଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବାମେବାରୀ ଥାନା ଅଧିକାରୀ ପରେଶ କୁମାର ମହାନ୍ତି ସୂଚନା ଦେଇଛନ୍ତି।