ଗରମ, ଆର୍ଦ୍ର ଜଳବାୟୁରେ କୋଭିଡ-୧୯ ସଂକ୍ରମଣ ହେବ ଧୀର

ଓ୍ବାଶିଂଟନ,୨୬।୩: ଗରମ ଓ ଆର୍ଦ୍ର ଜଳବାୟୁରେ କରୋନା ଭାଇରସ ସଂକ୍ରମଣ ଧୀରେ ହେବ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ଏସିଆରେ ଥିବା ଦେଶ ଗୁଡିକରେ କରୋନା ସଂକ୍ରମଣକୁ ନେଇ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି। ଆମେରିକାର ମାସାଚୁସେଟସ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲଜିର ବୈଜ୍ଞାନିକ କ୍ୱାସିମ ବୁଖାରିଙ୍କ ସହ ଅନ୍ୟ ବୈଜ୍ଞାନିକମାନେ ବିଶ୍ୱର ବିଭିନ୍ନ ଦେଶରେ କରୋନା ସଂକ୍ରମିତଙ୍କ ତଥ୍ୟ ସଂଗ୍ରହ କରି ସମସ୍ତ ଅଞ୍ଚଳର ପାଣିପାଗର ୨ଟି ପାରାମିଟର ସହ ତୁଳନା କରିଥିଲେ। ଏହାପରେ ଜଣାପଡିଛି ଯେ ମାର୍ଚ୍ଚ ୨୨, ୨୦୨୦ ପର୍ଯ୍ୟନ୍ତ କରୋନା ଭାଇରସ, SARS-CoV-2ର ପ୍ରାୟ ୯୦ ପ୍ରତିଶତ ସଂକ୍ରମଣ ୩ରୁ ୧୭ ଡିଗ୍ରୀ ତାପମାତ୍ରା ମଧ୍ୟରେ ଘଟିଛି। ବିଶେଷଜ୍ଞମାନେ ଆହୁରି ମଧ୍ୟ କହିଛନ୍ତି ଯେଉଁଠାରେ ଅଧିକ ପରିମାଣରେ କରୋନା ସଂକ୍ରମିତ ହୋଇଛି ସେଠାରେ ମଧ୍ୟ ଆର୍ଦ୍ରତା କମ୍‌ ରହିଥିବା ଅନୁମାନ କରାଯାଇଛି। ତେଣୁ ଗରମ ଓ ଆର୍ଦ୍ର ଜଳବାୟୁରେ କରୋନା ସଂକ୍ରମଣ ଧୀର ଗତିରେ ହେଉଛି ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି।