PORT OF SPAIN, TRINIDAD AND TOBAGO - AUGUST 14: Chris Gayle of the West Indies brings up his 50 during the third MyTeam11 ODI between the West Indies and India at the Queen's Park Oval on August 14, 2019 in Port of Spain, Trinidad And Tobago. (Photo by Ashley Allen/Getty Images)
ପୋର୍ଟ ଅଫ୍ ସ୍ପେନ, ୧୫।୮- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ କୁଇନ୍ସପାର୍କ ଓଭାଲ ଗ୍ରାଉଣ୍ଡରେ ବୁଧବାର ଅନୁଷ୍ଠିତ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ଦ୍ୱିତୀୟ ଥରପାଇଁ ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହେବା ବେଳକୁ ଓ୍ବେଷ୍ଟଇଣ୍ଡିଜ ୨୨ ଓଭରରେ ୨ ଉଇକେଟ ହରାଇ ୧୫୮ ରନ ସଂଗ୍ରହ କରିଛି। ବିସ୍ଫୋରକ ଓପନର କ୍ରିସ୍ ଗେଲ୍ ଅର୍ଦ୍ଧଶତକ ହାସଲ କରି ଆଉଟ ହୋଇଛନ୍ତି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଓ୍ବେଷ୍ଟଇଣ୍ଡିଜ ୧.୩ ଓଭର ଖେଳିଥିବାବେଳେ ବର୍ଷା ହୋଇଥିଲା। କିଛିସମୟ ଖେଳ ବନ୍ଦ ହେବାପରେ ପୁଣି ଆରମ୍ଭ ହୋଇଥିଲା। ଭୁବନେଶ୍ୱର କୁମାରଙ୍କ ପ୍ରଥମ ଓଭରରୁ ରନ ସଂଗୃହୀତ ହୋଇ ନ ଥିଲେ ହେଁ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଖେଳିଥିଲା ଓ୍ବେଷ୍ଟଇଣ୍ଡିଜ। ଭାରତର ୩ ଜଣ ଯାକ ଦ୍ରୁତ ବୋଲରଙ୍କୁ ଧୂଲେଇ କରି ଦ୍ରୁତ ହାରରେ ରନ ସଂଗ୍ରହ ସହ ଓପନିଂ ଯୋଡ଼ିରେ ଶତକୀୟ ଭାଗୀଦାରି ଗଢ଼ିଥିଲେ ଦୁଇ ଓପନର। ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୧୧ତମ ଓଭରରେ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ବୋଲିଂଭାର ଦେବାପରେ ଯାଇ ବ୍ରେକ୍ ଥ୍ରୁ ମିଳିଥିଲା। ମାତ୍ର ୨୯ ବଲ୍ରୁ ୫ ଚୌକା ଓ ୩ ଛକା ସହ ୪୩ ରନ କରି ସାରିଥିବା ଲିଓ୍ବିସଙ୍କୁ ନିଜ ପ୍ରଥମ ଓଭରର ୫ମ ବଲ୍ରେ ଆଉଟ କରି ଭାରତକୁ ପ୍ରତୀକ୍ଷିତ ସଫଳତା ଦେଇଥିଲେ ଚହଲ। ଗେଲ୍ କିନ୍ତୁ ଧୂଆଁଧାର ବ୍ୟାଟିଂ ଜାରି ରଖିଥିଲେ। ୪୧ ବଲ୍ରୁ ୮ ଚୌକା ଓ ୫ ଛକା ସହ ୭୨ ରନ କରିବାପରେ ସେ ଖଲିଲ ଅହମ୍ମଦଙ୍କ ବଲ୍ରେ ବିରାଟ କୋହଲିଙ୍କ ଏକ ଚିତାକର୍ଷକ କ୍ୟାଚଦ୍ୱାରା ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। କ୍ୟାରିୟରର ୩୦୧ତମ ଏକଦିବସୀୟ ମ୍ୟାଚ ଖେଳିଥିବା ଗେଲ୍ଙ୍କର ଏହାଥିଲା ୫୪ତମ ଅର୍ଦ୍ଧଶତକ। ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବାପରେ ଓ୍ବେଷ୍ଟଇଣ୍ଡିଜର ରନ ହାରରେ ଅଙ୍କୁଶ ଲାଗିଥିଲା। ଚହଲଙ୍କ ପରି କେଦାର ଯାଦବ ମଧ୍ୟ ପ୍ରଭାବୀ ବୋଲିଂ କରିଥିଲେ। ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହେବା ବେଳକୁ ଶାଇ ହୋପ୍ ୪୦ ବଲ୍ରୁ ୧୯ ଏବଂ ଶିମରନ ହେଟମେର ୨୩ ବଲ୍ରୁ ୧୮ ରନକରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ଚହଲ ଓ ଖଲିଲ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।