Kolkata: Former Australia cricketer Michael Clarke addresses a press conference in Kolkata on May 13, 2017. (Photo: Kuntal Chakrabarty/IANS)
ମେଲବୋର୍ନ, ୮।୪(ପି.ଟି.)-ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସମ୍ପର୍କରେ ଏକ ଟିପ୍ପଣୀ ଦେଇ ହଇଚଇ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲୀୟ କ୍ରିକେଟରମାନେ କୋହଲିଙ୍କୁ ଡରୁଥିଲେ। କାରଣର ସେମାନଙ୍କର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଚୁକ୍ତି ନେଇ ଭୟ ରହୁଥିଲା। ଖାସ୍ ଏଥିପାଇଁ ଅଷ୍ଟ୍ରେଲିଆ ଖେଳାଳି କୋହଲି ଓ ଅନ୍ୟ ଭାରତୀୟ ଖେଳାଳିଙ୍କୁ ସ୍ଲେଜିଂ କରୁ ନ ଥିଲେ। ଏହି କାରଣରୁ ମଧ୍ୟ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ହାରିଥିଲା ବୋଲି କ୍ଲାର୍କ କହିଛନ୍ତି।
କୋହଲିଙ୍କ ନେତୃତ୍ୱରେ ଭାରତ ୨୦୧୮-୧୯ରେ ଅଷ୍ଟ୍ରେଲିଆକୁ ତା’ର ନିଜ ମାଟିରେ ପରାସ୍ତ କରି ଇତିହାସ ସୃଷ୍ଟି କରିଥିଲା। ଦଳରେ ଏହି ପରାଜୟକୁ ଏବେ ମଧ୍ୟ କେତେକ ପୂର୍ବତନ ଖେଳାଳି ହଜମ କରିପାରୁ ନାହାନ୍ତି। କାରଣ ଏସିଆର ପ୍ରଥମ ଦେଶ ଭାବେ ଭାରତ ଅଷ୍ଟ୍ରେଲିଆକୁ ତା’ର ଘରୋଇ ମାଟିରେ ଟେଷ୍ଟ ସିରିଜରେ ହରାଇଥିଲା। ଆଇପିଏଲ୍ ଚୁକ୍ତି ନେଇ ଥିବା ଆଶଙ୍କାରେ ଅଷ୍ଟ୍ରେଲିଆ ଖେଳାଳିମାନେ ଏହି ସିରିଜରେ କୋହଳ ମନୋଭାବ ପୋଷଣ କରି ଖେଳିଥିଲେ ଓ ପୂରା ଜୋରଦେଇ ନ ଥିଲେ। ଫଳରେ ଭାରତ ଐତିହାସିକ ବିଜୟ ହାସଲ କରିଥିଲା ବୋଲି କ୍ଲାର୍କ କହିଛନ୍ତି। ଆଇପିଏଲ୍କୁ ନଜରରେ ରଖି ଅଷ୍ଟ୍ରେଲିଆ ଖେଳାଳିମାନେ ରଣନୀତି ପ୍ରସ୍ତୁତ କରୁଥିଲେ। କାରଣ ଏହାଦ୍ୱାରା ଆଇପିଏଲ୍ରେ ମୋଟ ଅଙ୍କର ଚୁକ୍ତି ହାସଲ କରିବେ ବୋଲି ଅଷ୍ଟ୍ରେଲିଆ ଖେଳାଳିମାନେ ଭାବୁ ଥିଲେ। ଏଥିପାଇଁ ସେମାନେ କୋହଲି ଓ ଅନ୍ୟ ଭାରତୀୟ ଖେଳାଳିଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଥିଲେ। ୨୦୧୯ ଏପ୍ରିଲ୍ରେ ଆଇପିଏଲ୍ ଖେଳିବାର କାର୍ଯ୍ୟକ୍ରମ ରହିଥିବାରୁ ଆମ ଖେଳାଳିମାନେ କୋହଲି ଓ ତାଙ୍କ ସାଥି କ୍ରିକେଟରଙ୍କୁ ଡରୁଥିଲେ। ଯଦି କୋହଲି ଓ ଭାରତୀୟ ଖେଳାଳିଙ୍କୁ ସ୍ଲେଜିଂ କରନ୍ତି ତା’ହାଲେ ମୋଟ ଅଙ୍କର ଆଇପିଏଲ ଚୁକ୍ତି ହାସଲ କରିହେବ ନାହିଁ ବୋଲି ଅଷ୍ଟ୍ରେଲିଆ ଖେଳାଳିମାନେ ହୃଦୟଙ୍ଗମ କରିଥିଲେ। ଯଦି ସ୍ଲେଜିଂ କରୁ ତେବେ ଆଇପିଏଲ୍ ନିଲାମରେ ଆମକୁ ଫଳ ଭୋଗିବାକୁ ପଡିବ ବୋଲି ଆମ ଖେଳାଳିମାନେ ଭାବୁ ଥିଲେ। ଏବେ ସାରା ବିଶ୍ୱର ସବୁ ଦଳ ଭାରତୀୟ ଦଳ ପ୍ରତି ଏଭଳି ଆଚରଣ ପ୍ରଦର୍ଶନ କରୁଛି ବୋଲି କ୍ଲାର୍କ କହିଛନ୍ତି।
୨୦୧୮-୧୯ ସିରିଜରେ ଭାରତ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ଘରୋଇ ଅଷ୍ଟ୍ରେଲିଆକୁ ହରାଇଥିଲା। ୭୧ ବର୍ଷର ଟେଷ୍ଟ ଇତିହାସରେ ଭାରତ ପ୍ରଥମଥର ପାଇଁ ଏହି ସଫଳତା ପାଇଥିଲା। ଅଷ୍ଟ୍ରେଲିଆର ଏକ ରେଡିଓ କାର୍ଯ୍ୟକ୍ରମକୁ ସାକ୍ଷାତ୍କାର ଦେବା ଅବସରରେ କ୍ଲାର୍କ ଏହି କଥା କହିଛନ୍ତି। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବେଶ୍ ଶକ୍ତିଶାଳୀ ବିବେଚିତ ହେଉଛି। ଅନ୍ତର୍ଜାତୀୟ ସ୍ତରରେ ହେଉ କି, ଘରୋଇ ସ୍ତରରେ ହେଉ ବିସିସିଆଇ ସବୁଠାରୁ ପ୍ରଭାବୀ ମନେହେଉଛି। ଖାସ୍ ଏଥିପାଇଁ ଅନ୍ୟ ଦଳ ଅପେକ୍ଷା ଭାରତୀୟ ଦଳର ପ୍ରଭାବ ଅଧିକ ରହୁଛି ବୋଲି କ୍ଲାର୍କ କହିଛନ୍ତି।