FILE PHOTO: Tennis - Adria Tour - Zadar, Croatia - June 21, 2020 Croatia's Borna Coric in action during his match against Serbia's Pedja Krstin REUTERS/Antonio Bronic/File Photo
ଜାଗ୍ରେବ୍ (କ୍ରୋଏସିଆ), ୨୩ା୬ (ଏପି): ବୋର୍ନା କୋରିକ୍ ଦ୍ୱିତୀୟ ଟେନିସ ଖେଳାଳି ଭାବେ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି। କ୍ରୋଏସିଆରେ ଏକ ପ୍ରଦର୍ଶନୀ ଇଭେଣ୍ଟରେ ଅଂଶଗ୍ରହଣ କରିବା ପରେ କୋଭିଡ୍-୧୯ ଟେଷ୍ଟ ହୋଇଥିଲା। ଏଥିରେ ତାଙ୍କର ପଜିଟିଭ୍ ଆସିଛି। କ୍ରୋଏସିଆର କୋରିକ୍ ବିଶ୍ୱର ୩୩ତମ ର଼୍ୟାଙ୍କିଙ୍ଗ ଖେଳାଳି। ଏହି ଇଭେଣ୍ଟରେ ଭାଗ ନେଇଥିବା ଅନ୍ୟଜଣେ ଖେଳାଳି ହେଲେ ବିଶ୍ୱର ୧୯ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ତଥା ୩ଥର ଗ୍ରାଣ୍ଡସ୍ଲାମ ସେମିଫାଇନାଲିଷ୍ଟ ଗ୍ରିଗୋର ଦିମିତ୍ରୋଭ୍। ବୁଲଗେରିଆର ଏହି ହାଇପ୍ରୋଫାଇଲ ଖେଳାଳି ନିଜେ କରୋନା ପଜିଟିଭ ଥିବା ରବିବାର ଇନଷ୍ଟାଗ୍ରାମ୍ରେ ଘୋଷଣା କରିବା ପରେ କୋରିକ୍ଙ୍କ ସମେତ ଅନ୍ୟ କେତେଜଣ ଲୋକଙ୍କର କୋଭିଡ୍-୧୯ ଟେଷ୍ଟ ହୋଇଥିଲା। ଇଭେଣ୍ଟର ଦ୍ୱିତୀୟ ଲେଗ୍ରେ ଜାଡାରସ୍ଥିତ ଆଡ୍ରିଆଟିକ୍ ରିସୋର୍ଟଠାରେ ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ କୋରିକ୍ଙ୍କର ଦିମିତ୍ରୋଭ୍ଙ୍କ ସହ ମୁକାବିଲା ହୋଇଥିଲା। ଆଡ୍ରିଆ ଟୁର୍ ପ୍ରଦର୍ଶନୀ ଇଭେଣ୍ଟର ଆୟୋଜକ ତଥା ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ନୋଭାକ୍ ଜୋକୋଭିଚ୍ ଫାଇନାଲ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଥିଲା। ଦିମିତ୍ରୋଭ କହିଛନ୍ତି କିଛିଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ଟେଷ୍ଟ କରିନେବା ଉଚିତ୍ ମନେ କରି ସେ ପଜିଟିଭ ଥିବା ସାଧାରଣରେ ଘୋଷଣା କରିଥିଲେ। ଦୁଇ ଜଣ ଖେଳାଳି ପଜିଟିଭ ଜଣାପଡ଼ିବାପରେ ଇଭେଣ୍ଟକୁ ଅଧାରୁ ବାତିଲ କରି ଦିଆଯାଇଛି। ଜୋକୋଭିଚ୍ କହିଛନ୍ତି, ତାଙ୍କ ପାଖରେ କରୋନାର କୌଣସି ଲକ୍ଷଣ ଦେଖାଯାଉ ନ ଥିଲେ ମଧ୍ୟ କୋଭିଡ୍-୧୯ ଟେଷ୍ଟ କରାଇଛନ୍ତି ଏବଂ ଫଳାଫଳକୁ ଅପେକ୍ଷା କରିଛନ୍ତି।