କୋଭିଡ- ୧୯: ୨୦ ଲକ୍ଷ ଟଙ୍କା ଦାନ କଲା ମୋହନ ବାଗାନ

କୋଲକାତା,୨୮।୩ (ପି.ଟି.)- କରୋନା ଭାଇରସ ମହାମାରୀ ବିରୋଧରେ ଚାଲିଥିବା ଲଢେଇ ପାଇଁ ଆଇ- ଲିଗ୍‌ ଚାମ୍ପିୟନ ମୋହନ ବାଗାନ କ୍ଲବ ୨୦ ଲକ୍ଷ ଟଙ୍କା ଦାନ କରିଛି। ଏହି ଅର୍ଥ ପଶ୍ଚିମବଙ୍ଗ ଷ୍ଟେଟ୍‌ ଇମର୍ଜେନ୍ସି ରିଲିଫ୍‌ ପଣ୍ଡକୁ ଦିଆଯାଇଛି ବୋଲି ମୋହନ ବାଗାନ ତରଫରୁ କୁହାଯାଇଛି। ନିଜ ଅଫିସିଆଲ ଫେସ୍‌ବୁକ୍‌ ପେଜ ମୋହନ ବାଗାନ ଏ ନେଇ ଘୋଷଣା କରିଛି।
ଫୁଟବଲ ହେଉଛି ଏକତା ଓ ମାନବତାର ପ୍ରତୀକ। ତେଣୁ ଏହି ଭାଇରସ ବିରୋଧରେ ଲଢେଇ ପାଇଁ ସମସ୍ତଙ୍କୁ ରାଜ୍ୟ ସରକାରଙ୍କ ଇମର୍ଜେନ୍ସି ରିଲିଫ ପଣ୍ଡକୁ ଦାନ କରିବାକୁ ଏହି ପୋଷ୍ଟରେ ନିବେଦନ କରାଯାଇଛି। ସମସ୍ତଙ୍କ ଜୀବନରେ ଏଭଳି ଚ୍ୟାଲେଞ୍ଜ ଆସିଥାଏ। କେହି ଏଥିରୁ ବାଦ୍‌ ପଡି ନ ଥାନ୍ତି। ଆମର ଦାନ କେବଳ ଏକ ଆରମ୍ଭ ମାତ୍ର। ଅନ୍ୟମାନେ ଏଥିରେ ସହଯୋଗ କରିବାକୁ ଆଗେଇ ଆସିବେ। ଏହି ବିପଦ ବେଳେ ଆମେ ଏକାଠି ହେବା ଓ ଲଢିବା ବୋଲି ମୋହନ ବାଗାନ ସାଧାରଣ ସମ୍ପାଦକ ଶ୍ରୀଞ୍ଜୟ ବୋଷ୍‌ କ୍ଲବର ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରିଛନ୍ତି। କ୍ଲବ ଫାଇନାନ୍ସ ସେକ୍ରେଟାରୀ ଦେବାଶିଷ ଦତ୍ତା ମଧ୍ୟ ସମାନ ମତ ପୋଷଣ କରିଛନ୍ତି। ଖରାପ ଓ ଭଲ ଏମିତି ସବୁ ପ୍ରକାର ପରିସ୍ଥିତିରେ ପ୍ରଶଂସକମାନେ କ୍ଲବ୍‌କୁ ସମର୍ଥନ କରିଆସିଛନ୍ତି। ଏହି ବିପଦ ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ସମସ୍ତଙ୍କୁ ନିବେଦନ କରୁଛି ବୋଲି ଦେବାଶିଷ କହିଛନ୍ତି। ୪ ରାଉଣ୍ଡ ବାକିଥିଲେ ମଧ୍ୟ କରୋନା ଭାଇରସ କାରଣରୁ ଆଇ- ଲିଗ୍‌କୁ ବାତିଲ କରାଯାଇଛି ଥିଲେ ମଧ୍ୟ ମୋହନ ବାଗାନ ଦ୍ୱିତୀୟଥର ପାଇଁ ଚାମ୍ପିୟନ ଘୋଷିତ ହୋଇଥିଲା। କୋଲକାତାର ଆଉ ଏକ କ୍ଲବ ଆର୍ଯ୍ୟନ୍‌ ରିଲିଫ୍‌ ଫଣ୍ଡକୁ ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।