Categories: Home Leftଖେଳ

କୋଭିଡ-୧୯: ମହିଳା ଦିନିକିଆ, ପୁରୁଷ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ୱାଲିଫାୟର୍ସ ଘୁଞ୍ଚିଲା

ଦୁବାଇ,୧୨।୫ (ପି.ଟି.): କୋଭିଡ-୧୯ ମହାମାରୀ ପାଇଁ ଆଉ ଦୁଇଟି ବଡ଼ ଇଭେଣ୍ଟକୁ ଘୁଞ୍ଚାଇବାକୁ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ନିଷ୍ପତ୍ତି ନେଇଛି। ୨୦୨୧ ମହିଳା ବିଶ୍ୱକପ୍‌ ଓ ୨୦୨୨ ପୁରୁଷ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ର ଯୋଗ୍ୟାତା ପର୍ଯ୍ୟାୟ ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି। ଆସନ୍ତା ଜୁଲାଇରେ ଏହି ଦୁଇଟି ଟୁର୍ନାମେଣ୍ଟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିଲା।

ଶ୍ରୀଲଙ୍କାରେ ଜୁଲାଇ ୩- ୧୯ରେ ବିଶ୍ୱକପ୍‌ ମହିଳା ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ଆୟୋଜନ ହେବ। ଏଥିରେ ୧୦ଟି ଦଳ ଯଥା ଆୟୋଜକ ଶ୍ରୀଲଙ୍କା ସମେତ ବାଂଲାଦେଶ, ଆୟର୍ଲାଣ୍ଡ, ନେଦରଲାଣ୍ଡ୍ସ, ପାକିସ୍ତାନ, ପପୁଆ ନ୍ୟୁଗିନି, ଥାଇଲାଣ୍ଡ, ଆମେରିକା, ଓ୍ବେଷ୍ଟଇଣ୍ଡିଜ୍‌ ଓ ଜିମ୍ବାଓ୍ବେ ଅଂଶଗ୍ରହଣ କରିବେ। ସବୁ ସଭ୍ୟ, ସରକାରୀ ଓ ବେସରକାରୀ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପରାମର୍ଶ କରି ଏହି ନିଷ୍ପତ୍ତି ନେଉଛୁ ବୋଲି ଆଇସିସି ତରଫରୁ କୁହାଯାଇଛି। ୨୦୨୨ ଆଇସିସି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଜୁଲାଇ ୨୪ରୁ ୩୦ ତାରିଖ ମଧ୍ୟରେ ଡେନ୍‌ମାର୍କରେ ୟୁରୋପିଆନ ରିଜିଓନାଲ କ୍ୱାଲିଫାୟର ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା।

ତେବେ ଏହି ଇଭେଣ୍ଟ ପୁଣି କେବେ ଆୟୋଜନ ହେବ ସେ ନେଇ ଆଇସିସି ସବୁ ଅଂଶଗ୍ରହଣକାରୀ ଦଳଗୁଡିକୁ ପରେ ଅବଗତ କରାଇବ। କୋଭିଡ ୧୯ ମହାମାରୀ ଜନିତ ଟ୍ରାଭେଲ ରେଷ୍ଟ୍ରିକ୍‌ଶନ, ବିଶ୍ୱ ସ୍ବାସ୍ଥ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ଏହି ଦୁଇ ଇଭେଣ୍ଟକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛୁ ବୋଲି ଆଇସିସି ହେଡ୍‌ ଅଫ୍‌ ଇଭେଣ୍ଟ୍ସ କ୍ରିସ୍‌ ଟେଟଲି କହିଛନ୍ତି। ଖେଳାଳି, କୋଚ୍‌, ଅଫିସିଆଲ, ପ୍ରଶଂସକ ଓ ପୂରା କ୍ରିକେଟ ଜଗତର ସ୍ବାସ୍ଥ୍ୟକୁ ଆମେ ପ୍ରାଥମିକତା ଦେଉଛୁ ବୋଲି ସେ କହିଛନ୍ତି। ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ର ବାକି ଦୁଇଟି ରିଜିଓନାଲ କ୍ୱାଲିଫାୟର ଡିଭିଜନ ୨ ଇଭେଣ୍ଟ ସଂକ୍ରାନ୍ତରେ ପରେ ନିଷ୍ପତ୍ତି ନେବୁ ବୋଲି ଆଇସିସି କହିଛି।