Porto Alegre: Paraguay's Junior Alonso, right, and Brazil's Gabriel Jesus battle for the ball during a Copa America quarterfinal soccer match at the Arena do Gremio in Porto Alegre, Brazil, Thursday, June 27, 2019. AP /PTI Photo(AP6_28_2019_000021B)
ପୋର୍ତୋ ଆଲେଗ୍ରେ,୨୯।୬-
ଚଳିତ କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ପ୍ରଥମ ଦଳଭାବେ ବ୍ରାଜିଲ ସେମିଫାଇନାଲରେ ପ୍ରବେଶ କରିଛି। କ୍ୱାର୍ଟର ଫାଇନାଲରେ ଏହି ଦଳ ଶୁଟ୍ଆଉଟ୍ ଜରିଆରେ ପାରାଗୁଏକୁ ପରାସ୍ତ କରିଛି। ୨୦୧୧ ଓ ୨୦୧୫ ସଂସ୍କରଣରେ ପାରାଗୁଏ କ୍ୱାର୍ଟର ଫାଇନାଲରେ ସମାନ ପରିସ୍ଥିତିରେ ଶୁଟ୍ଆଉଟ ଜରିଆରେ ବ୍ରାଜିଲକୁ ହରାଇ ବିଦା କରିଥିଲା। ଏଥର ବ୍ରାଜିଲ ତାହାର ମଧୁର ପ୍ରତିଶୋଧ ନେଇଛି। ମ୍ୟାଚ୍ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲେହେଁ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଗୋଲ ଶୂନ୍ୟ ରହିଥିଲା। ଓ୍ବିଲିଆନ ଗୋଲ୍ ସୁଯୋଗ ସୃଷ୍ଟି କରିଥିଲେହେଁ ତାଙ୍କ ଶଟ୍ ଗୋଲ୍ପୋଷ୍ଟରେ ବାଜି ଆଉଟ୍ ହୋଇଯାଇଥିଲା। ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚରେ ରବର୍ଟୋ ଫାରମିନୋଙ୍କୁ ଏକ ପ୍ରଫେଶନାଲ ଫାଉଲ ଯୋଗୁ ପାରାଗୁଏର ଫାବିଆନୋ ବାଲ୍ବୁଏନାଙ୍କୁ ରେଡ୍କାର୍ଡ ହେଇଥିଲା। ଫଳରେ ତାଙ୍କୁ ପଡ଼ିଆ ଛାଡ଼ିବାକୁ ହୋଇଥିଲା। ଏହାପରେ ପେନାଲ୍ଟି ଶୁଟ୍ଆଉଟ୍ରେ ବ୍ରାଜିଲ ୪-୩ ବ୍ୟବଧାନରେ ମ୍ୟାଚ୍ ଜିତିଥିଲା।
ଏହି ପର୍ଯ୍ୟାୟରେ ବ୍ରଜିଲ ପକ୍ଷରୁ ଓ୍ବିଲିଆନ ଡିସିଲ୍ଭା, ମର୍କ୍ୱିନହୋସ, ଫିଲିପେ କୌଟିନ୍ହୋ, ଗାବ୍ରିଏଲ ଜିସସ ଗୋଲ ଦେଇଥିବାବେଳେ ପିର୍ମିନୋ ମିସ୍ କରିଥିଲେ। ପାରାଗୁଏ ପକ୍ଷରୁ ଆଲମିରନ, ଭାଲଡେଜ, ଓ ଆର. ରୋଜାସ ଗୋଲ ଦେଇଥିବାବେଳେ ଦୁଇ ତାରକା ଖେଳାଳି ଗୁସ୍ତାଭୋ ଗୋମେଜ ଓ ଆଲବର୍ଟୋ ଗୋଞ୍ଜାଲେଜ ମିସ୍ କରିଥିଲେ। ପାରାଗୁଏର ଗୋମେଜଙ୍କ ଉଦ୍ୟମକୁ ବ୍ରାଜିଲ ଗୋଲକିପର ଆଲିସନ ବେକାର କରି ଦେଇଥିଲେ। ତାଙ୍କ ପରେ ଗତ ମ୍ୟାଚ୍ରେ ପେନାଲ୍ଟି ହାତଛଡ଼ା କରିଥିବା ଗାବ୍ରିଏଲ ଜିସସ ବ୍ରାଜିଲ ଲାଗି ବିଜୟ ସୂଚକ ଗୋଲ ଦେଇଥିଲେ। ବ୍ରାଜିଲ ଗଣମାଧ୍ୟମ ଏହି ମ୍ୟାଚ ଖବର ଛାପିଲା ବେଳେ ୨୦୧୧ରେ ଆର୍ଜେଣ୍ଟିନା ଏବଂ ଏହାର ୪ ବର୍ଷ ପରେ ଚିଲିରେ ଯନ୍ତ୍ରଣାଦାୟକ ସ୍ମୃତିକୁ ମନେ ପକାଇଛନ୍ତି। ପାରଗୁଏ କିପରି ରକ୍ଷଣାତ୍ମକ ଖେଳି ସ୍ପଟ୍ କିକ୍ ଲଟୋରୀରେ ଜିତାପଟ ହାସଲ କରିଥିଲା ତାହାକୁ ସେମାନେ ଉଲ୍ଲେଖ କରିବାକୁ ଭୁଲି ନାହାନ୍ତି। ଏଥର କିନ୍ତୁ ଗୋଲକିପର ଆଲିସନଙ୍କ ଚମତ୍କାର ଗୋଲ ରକ୍ଷଣ ଯୋଗୁ ବ୍ରାଜିଲ ଜିତାପଟ ହାସଲ କରିଛି। ଆର୍ଜେଣ୍ଟିନା ଓ ଭେନେଜୁଏଲା ମଧ୍ୟରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ ଅନୁଷ୍ଠିତ ହେବ। ଏହାର ବିଜେତାକୁ ବ୍ରାଜିଲ ସେମିଫାଇନାଲରେ ଭେଟିବ।
ଲିଗ୍ ପର୍ଯ୍ୟାୟରେ ବ୍ରଜିଲ ଗ୍ରୁପ ‘ଏ’ରେ ବଲିଭିଆକୁ ୩-୦ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିବାବେଳେ ଭେନେଜୁଏଲା ବିପକ୍ଷ ମ୍ୟାଚକୁ ଗୋଲଶୂନ୍ୟ ଡ୍ର ରଖିଥିଲା। ତୃତୀୟ ମ୍ୟାଚରେ ପେରୁକୁ ୫-୦ ଗୋଲରେ ହରାଇ ଗ୍ରୁପ୍ରେ ୭ ପଏଣ୍ଟ ସହ ଶୀର୍ଷସ୍ଥାନ ହାସଲ କରିଥିଲା। ଦୁଇ ସେମିଫାଇନାଲ ଯଥାକ୍ରମେ ଜୁଲାଇ ୨ ଓ ୩ରେ ଅନୁଷ୍ଠିତ ହେବ। ଫାଇନାଲ ଜୁଲାଇ ୭ରେ ଖେଳାଯିବ।