Categories: Home Leftଖେଳ

କେପିଏଲ ମ୍ୟାଚ୍‌ ଫିକ୍ସିଂ: ପୂର୍ବତନ ଭାରତୀୟ ପେସରଙ୍କୁ ଡକାଇଲା ସିସିବି

ବେଙ୍ଗାଲୁରୁ,୨୯।୧୧- କର୍ନାଟକ ପ୍ରିମିୟର ଲିଗ୍‌ (କେପିଏଲ)ର ବେଟିଂ ଓ ସ୍ପଟ ଫିକ୍ସିଂ ସ୍କାଣ୍ଡାଲରେ ଜଡ଼ିତ ଥିବା ସନ୍ଦେହରେ ପୂର୍ବତନ ଭାରତୀୟ ପେସର ତଥା କର୍ନାଟକ ରଣଜୀ ଖେଳାଳି ଅଭିମନ୍ୟୁ ମିଥୁନଙ୍କୁ ପଚରାଉଚାର ପାଇଁ ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି) ଡକାଇଛି। ଏହି ସ୍କାଣ୍ଡାଲରେ ପଚରାଉଚରା କରାଯାଇଥିବା ଖେଳାଳିଙ୍କ ମଧ୍ୟରେ ମିଥୁନ ପ୍ରଥମ ଅନ୍ତର୍ଜାତୀୟ ଖେଳାଳି। କେପିଏଲରେ ସେ ଗତ ସଂସ୍କରଣରେ ଶିବମୋଗା ଲାୟନ୍ସ ଦଳର ନେତୃତ୍ୱ ନେଇଥିଲେ। ଏହି ଖବରକୁ ସ୍ପଷ୍ଟ କରିଛନ୍ତି ପୋଲିସର ଯୁଗ୍ମ କମିଶନର ସନ୍ଦୀପ ପାଟିଲ। ଆମେ ମିଥୁନଙ୍କୁ ସିସିବିର ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛୁ। ମିଥୁନ ଟିମ୍‌ ଇଣ୍ଡିଆ ପାଇଁ ଉଭୟ ଦିନିକିଆ ଓ ଟେଷ୍ଟ ଫର୍ମାଟରେ ପ୍ରତିନିଧିତ୍ୱ କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ୪ ଟେଷ୍ଟ ଓ ୪ ଦିନିକିଆ ଖେଳିଥିବା ପେସରଙ୍କ ସହ ଯୋଗାଯୋଗ କରିବା ନେଇ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା। କାରଣ ସେ ସୁରଟଠାରେ ସୟଦ ମୁସ୍ତାକ ଅଲି ଟି୨୦ ଇଭେଣ୍ଟ ଖେଳୁଛନ୍ତି। ତାଙ୍କ ପାଇଁ କିଛି ପ୍ରଶ୍ନ ପ୍ରସ୍ତୁତ କରାଯାଇଥିବା ସିସିବି ଅଫିସର କହିଛନ୍ତି। ଏହି ଫିକ୍ସିଂ ସ୍କାଣ୍ଡାଲରେ ଏପର୍ଯ୍ୟନ୍ତ ଖେଳାଳି, କୋଚ୍‌ ଓ ଅଫିସିଆଲଙ୍କୁ ମିଶାଇ ୮ ଜଣଙ୍କୁ ଗିରଫ କରାଯାଇ ସାରିଛି।

Share