Categories: ଅନୁଗୋଳ

କୁଶକିଳା ଡବଲ ମର୍ଡର ମାମଲା: ଅଭିଯୁକ୍ତ ଝସକେତନ ଦୋଷୀ ସାବ୍ୟସ୍ତ

ଅନୁଗୋଳ ଅଫିସ,୨୬।୯ – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୁଶକିଳା ଗ୍ରାମରେ ୨୦୧୬ରେ ଘଟିଥିବା ରାଜ କିଶୋର ସାହୁଙ୍କ ପୁଅ ଯୋଗେଶ୍ୱର ସାହୁ(୩୬) ଏବଂ ପୁତୁରା ହିରଣାକ୍ଷ ସାହୁ(୩୨)ଙ୍କ ହତ୍ୟା ମାମଲାର ଶୁଣାଣି ଶେଷ ହୋଇଛି। ଅନୁଗୋଳ ଜିଲା ଓ ଦୌରାଜଜ୍‌ଙ୍କ କୋର୍ଟ ଏହି ମାମଲାର ଶୁଣାଣି କରି ବୁଧବାର ଏକମାତ୍ର ଅଭିଯୁକ୍ତ ଝସକେତନ ରାଉତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ରାୟକୁ ଅଦାଲତ ସଂରକ୍ଷିତ ରଖିଥିବା ବେଳେ ଅଭିଯୁକ୍ତ ଝସକେତନଙ୍କ ବିରୋଧରେ ଆହୁରି ୨ଟି ହତ୍ୟା ମାମଲା ଏହି କୋର୍ଟରେ ବିଚାରାଧୀନ ରହିଛି।

କୋର୍ଟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଅଭିଯକ୍ତ ଝସକେତନଙ୍କ ବିରୋଧରେ ମୋଟ୍‌ ୪ଟି ହତ୍ୟା ମାମଲା ରହିଛି। ସେଥିରୁ କୁଶକିଳାର ଦୁଇ ଭାଇ ଯୋଗେଶ୍ୱର ଏବଂ ହିରଣାକ୍ଷ ସାହୁଙ୍କୁ ହତ୍ୟା କରିବା ଓ ପ୍ରମାଣନଷ୍ଟ କରିବାକୁ ଉଦ୍ୟମ କରିବା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ତେବେ ପୋଲିସ ଲଗାଇଥିବା ଅପହରଣ ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ୨୦୧୫ ମେ ୨୨ରେ ଛେଣ୍ଡିପଦା ଥାନା କୁକୁରପେଟା ନୂଆମୌଜାର ମାଉସୀ ଅବଳା ଗଡ଼ନାୟକ(୬୪) ଏବଂ ପୁତୁରା କୁମୁଦ ଚନ୍ଦ୍ର ସାହୁ(୨୮)ଙ୍କ ହତ୍ୟା ମାମଲର ବିଚାର ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ଉକ୍ତ ମାମଲାରେ ତଦନ୍ତକାରୀ ଅଧିକାରୀଙ୍କ ପ୍ରମାଣ ଉପସ୍ଥାପନ ବାକି ରହିଛି। ସେହିପରି ଜେଲ ହାଜତରେ ଥାଇ ୨୦୧୬ ଡିସେମ୍ବର ୨୩ରେ ରାଜକିଶୋର ସାହୁଙ୍କ ପରିବାର ଲୋକଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ଓ କୋର୍ଟ ହାଜତରୁ ଫେରାର ହେବା ମାମଲାର ବିଚାର ପ୍ରକ୍ରିୟା ଭିଡିଓ କନଫରେନ୍ସ ଜରିଆରେ କରାଯାଉଛି। ପ୍ରଥମେ ପିପି ମହେନ୍ଦ୍ର ବସ୍ତିଆ ମାମଲା ପରିଚାଳନା କରୁଥିବାବେଳେ ବର୍ତ୍ତମାନ କ୍ୟାଡର ପିପି ପ୍ରଦୀପ ଦାସ ପରିଚାଳନା କରୁଛନ୍ତି।