Categories: ଅନୁଗୋଳ

କିଶୋରନଗର ଅଞ୍ଚଳରେ କାଳବୈଶାଖୀ: ଗଛ ପଡ଼ି ରାସ୍ତା ଅବରୋଧ

ବଇଣ୍ଡା,୮।୬(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା, ଗାଁ ବଇଣ୍ଡା, ଜାମ୍ବୁନାଳୀ, ହଣ୍ଡପା, ବିଲେଇନାଳୀ, ନାକିଚି, ବାମୁର ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ହୋଇଛି। ଏଥିଯୋଗୁ ଗାଁ ବଇଣ୍ଡା ଜଗନ୍ନାଥ ମନ୍ଦିର ନିକଟରେ ଏକ ବିରାଟ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ଏକ ଘଣ୍ଟାଧରି ରାସ୍ତାଅବରୋଧ ହୋଇଥିଲା। ପରେ ସ୍ଥାନୀୟ ଗ୍ରାମବାସୀ ଓ ପୂର୍ତ୍ତବିଭାଗର ଠିକାଦାର ଘଟଣାସ୍ଥଳରେ ପହଞ୍ଚି ଗଛକୁ କାଟିବାସହ ଜେସିବି ସାହାଯ୍ୟରେ ହଟାଇବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ସେହିପରି ବଡ଼ହୁଲା ଗ୍ରାମର ଦୟାନିଧି ସାହୁଙ୍କର ଆଜବେଷ୍ଟ ଘର ସମ୍ପୂର୍ଣ୍ଣ ଉଡ଼ିଯାଇଥିବାବେଳେ ବଇଣ୍ଡା ଛକଠାରେ ଉଠାଦୋକାନୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଅନେକ ଚାଳ ଛପର ଘର ଉଡ଼ିଯାଇଥିବାବେଳେ ଡାଳ ଭାଙ୍ଗି ବିଦ୍ୟୁତ ତାରରେ ପଡ଼ିଥିବା ଯୋଗୁ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଛି। ବାରମ୍ବାର କାଳବୈଶାଖୀର ସମ୍ମୁଖୀନ ହୋଇ ଲୋକମାନେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ କ୍ଷତିପୂରଣ ଯୋଗାଇ ଦିଆଯାଉ ନ ଥିବା ଯୋଗୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।