କିଏ କରିଛି ବାତ୍ୟା ‘ଅମ୍ଫନ’ର ନାମକରଣ

ନୂଆଦିଲ୍ଲୀ,୧୬।୫: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅପପାତ(ଡିପ୍ରେଶନ)ର ରୂପ ନେଇସାରିଛି। ଶନିବାର ସନ୍ଧ୍ୟା ସୁଦ୍ଧା ଏହି ଅବପାତ ଭୟଙ୍କର ସାମୁଦ୍ରିକ ଝଡର ରୂପ ନେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବ ବିଶେଷ ଭାବେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ରହିବ ବୋଲି ଅନୁମାନ କରାଯାଉଛି। ଏହାସହ ପାଖାପାଖି ୮ ରାଜ୍ୟକୁ ସତର୍କ କରିଦିଆଯାଇଛି। ଏବେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ବାତ୍ୟା ଆସିବା ପୂର୍ବରୁ କିଏ କରିଛି ଏହାର ନାମକରଣ। ତେବେ ଏଥର ଏହି ବାତ୍ୟାର ନାମ ଥାଇଲାଣ୍ଡ ଦ୍ୱାରା ବହୁ ପୂର୍ବରୁ କରାଯାଇଛି। ଯେମିତି ଏହା ପୂର୍ବରୁ ଗୁଜରାଟ ଉପକୂଳରେ ଆସିଥିବା ବାତ୍ୟା ‘ବାୟୁ’ର ନାମକରଣ ଭାରତ କରିଥିଲା ସେହିପରି ଏଥର ବାତ୍ୟାର ନାମ ଥାଇଲାଣ୍ଡ ଦ୍ୱାରା କରାଯାଇଛି। ତେବେ ହିନ୍ଦ ମହାସାଗରରେ ଆସୁଥିବା ଘୂର୍ଣ୍ଣିବାତ୍ୟାର ନାମକରଣ ପାଇଁ ଉତ୍ତର ହିନ୍ଦ ମହାସାଗରକୁ ଲାଗି ରହିଥିବା ୮ଟି ଦେଶ ଏହାର ନାମକରଣ କରିଥାଆନ୍ତି। ଏହାପରେ ଏହି ନାମ ଓ୍ବାର୍ଲଡ ମେଟୋରଲଜିକାଲ ଅର୍ଗାନାଇାଜଶନ(ଏବ୍ଲୁଏମ୍‌ଓ)କୁ ପଠାଇ ଦିଆଯାଇଥାଏ। ଆଉ ବାତ୍ୟା ଆସିବା ପରେ ଏହାର ନାମକରଣ କରାଯାଇଥାଏ। ଏହି ୮ ଦେଶ ମଧ୍ୟରେ ରହିଛନ୍ତି ବାଂଲାଦେଶ, ଭାରତ, ମାଲଦ୍ୱୀପ, ମ୍ୟାନମାର, ଓମାନ, ପାକିସ୍ତାନ, ଶ୍ରୀଲଙ୍କା ଓ ଥାଇଲାଣ୍ଡ। ଗତବର୍ଷ ଓଡ଼ିଶାରେ ତାଣ୍ଡବ ରଚିଥିବା ‘ଫନି’ର ନାମକରଣ ବାଂଲାଦେଶ କରିଥିଲା। ସେହିପରି ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ମାଡ ହୋଇଥିବା ‘ତିତଲି’ ବାତ୍ୟାର ନାମକରଣ ପାକିସ୍ତାନ ଦେଇଥିବା ବେଳେ ‘ଓଖି’ର ନାମକରଣ ଥାଇଲାଣ୍ଡ କରିଥିଲା। ‘ଓଖି’ ତାମିଲନାଡୁ ଓ କେରଳରେ ତାଣ୍ଡବ ରଚିଥିଲା।