Categories: ଅନୁଗୋଳ

କାଷ୍ଟ ହାଉସ-ବି ବିଶ୍ୱକର୍ମା ପୂଜା ପ୍ରସ୍ତୁତି: ୭ ଦିନ ଚାଲିବ ଅନ୍ନପ୍ରସାଦ ବଣ୍ଟନ

ବଅଁରପାଳ, ୧୨।୯ (ଡି.ଏନ୍‌.ଏ) – ନାଲକୋର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଆସନ୍ତା ୧୭ ତାରିଖଠାରୁ ଅନୁଷ୍ଠିତ ହେବ। ଏହି ପୂଜା ପାଇଁ ସମସ୍ତ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ନାଲ୍‌କୋ କାଷ୍ଟ ହାଉସ-ବି ପୂଜା କମିଟି ପକ୍ଷରୁ ପୂଜାକୁ ମନଲୋଭା ଓ ଆକର୍ଷଣୀୟ କରିବା ପାଇଁ କର୍ମକର୍ତ୍ତାମାନେ ପ୍ରସ୍ତୁତି କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଚଳିତ ବର୍ଷ ବିଭିନ୍ନ ପୌରାଣିକ କଥାବସ୍ତୁକୁ ଆଧାର କରି ସାଜସଜ୍ଜା ଓ ପୂଜା ମଣ୍ଡପ ନିର୍ମାଣ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି। ପ୍ୟାଲେସ ସଦୃଶ ତୋରଣ ନିର୍ମାଣ ସହ ପୌରାଣିକ କଥାବସ୍ତୁକୁ ଆଧାର କରି ମେଢ ଅନୁଷ୍ଠିତ ହେବ। ଶ୍ରୀକୃଷ୍ଣଙ୍କ ଲୀଳା ଉପରେ ଆଧାରିତ ମୂର୍ତ୍ତି ନିର୍ମାଣ କରାଯିବ। ବିଶେଷ କରି ୭ ଦିନ ଧରି ଏଠାରେ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଛି। ଖିରି ଖେଚୋଡ଼ିର ମହକ ଛୁଟିବ ବୋଲି ପୂଜା କର୍ମକର୍ତ୍ତା ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ପୂଜା କମିଟିର ସଭାପତି ଶିଶିରକାନ୍ତ ରଥ କୁହନ୍ତି, ପ୍ରତିବର୍ଷ ବିଭିନ୍ନ ଢଙ୍ଗରେ ପୂଜା ମଣ୍ଡପ ତିଆରି କରାଯାଉଛି। ଚଳିତ ବର୍ଷ ବିଭିନ୍ନ ପୌରାଣିକ କଥାବସ୍ତୁ ଆଧାରରେ ମେଢ଼ ଓ ସାଜସଜ୍ଜା କରାଯାଉଛି। ମଣ୍ଡପ ଦର୍ଶକମାନଙ୍କୁ ଆକର୍ଷିତ କରିବ ବୋଲି ଆଶା ବାନ୍ଧିଛୁ। ସମ୍ପାଦକ ପ୍ରକାଶ ବେହେରା କୁହନ୍ତି, ୧୭୦ ଜଣ ସଦସ୍ୟ ଆମ କମିଟିରେ ସାମିଲ ହୋଇଛନ୍ତି। ପ୍ରାୟ ୫ ଲକ୍ଷ ଟଙ୍କା ବଜେଟ୍‌ରେ ପୂଜା ମଣ୍ଡପ ନିର୍ମାଣ କରାଯାଉଛି। ଦର୍ଶକମାନଙ୍କୁ କିଭଳି ବିମୋହିତ କରାଯିବ ସେଥିପାଇଁ ସାଜସଜ୍ଜାର ପ୍ରସ୍ତୁତି କାର୍ଯ୍ୟ କରାଯାଇଛି। ୭ ଦିନ ଧରି ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଛି। ସଭ୍ୟ ମନୋଜ ସ୍ବାଇଁ ଓ ଟୁନା ସାହୁ କୁହନ୍ତି, ଚଳିତ ବର୍ଷ ନୂତନ ଢାଞ୍ଚାରେ ପୂଜା ମଣ୍ଡପ ନିର୍ମାଣ କରାଯାଇଛି। ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି।