Vinit Rai of Odisha FC in action during match 53 of the Indian Super League ( ISL ) between Odisha FC and Chennaiyin FC held at the Kalinga Stadium, Bhubaneswar, India on the 6th December 2020. Photo by: Arjun Singh / SPORTZPICS for ISL
ଭୁବନେଶ୍ୱର, ୯।୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମ ଏପର୍ଯ୍ୟନ୍ତ ଓଡ଼ିଶା ଏଫସି ପାଇଁ ଶୁଭ ସାବ୍ୟସ୍ତ ହୋଇଛି। ଦିଲ୍ଲୀ ଡାଇନାମସରୁ ଓଡ଼ିଶା ଏଫସିରେ ପରିଣତ ହୋଇଥିବା ଏହି ଦଳ ଏଠାରେ ଖେଳିଥିବା ୨ଟିଯାକ ମ୍ୟାଚରେ ବିଜୟୀ ହୋଇଛି। ଆସନ୍ତା ଶନିବାର ଦଳ ଏଠାରେ ଏହାର ପରବର୍ତ୍ତୀ ମ୍ୟାଚ ମୁମ୍ବାଇ ସିଟି ଏଫସି ସହିତ ଖେଳିବ। ଗତ ଅକ୍ଟୋବର ୩୧ରେ ଦୁଇ ଦଳ ମୁମ୍ବାଇରେ ପରସ୍ପରକୁ ଭେଟିଥିଲେ। ସେଥିରେ ଓଡ଼ିଶା ଏପସି ୪-୨ ଗୋଲରେ ବିଜୟୀ ହୋଇଥିଲା। ଚଳିତ ସିଜନରେ ଏହାଥିଲା ଓଡ଼ିଶା ଭିତ୍ତିକ ଫ୍ରାଞ୍ଚାଇଜ୍ ଦଳର ପ୍ରଥମ ବିଜୟ। ତେଣୁ ଏଠାରେ ସେହି ପ୍ରଦର୍ଶନ ବଜାୟ ରଖି ଓଡ଼ିଶା ଏଫସି ବିଜୟରେ ହ୍ୟାଟ୍ରିକ କରିବାନେଇ ଆଶା ରଖିଛି। ବିଶେଷ କରି ଘରୋଇ ପରିବେଶରେ ଜାମସେଦପୁର ଏଫସି ଏବଂ ପୂର୍ବତନ ଚାମ୍ପିୟନ ଚେନ୍ନାଇନ୍ ଏଫସିକୁ ହରାଇବାପରେ ଖେଳାଳିଙ୍କ ମନୋବଳ ଏବେ କାହିଁ କେତେ ଉପରେ ରହିଛି।
ପୂର୍ବ ମ୍ୟାଚରେ ଗୋଲ ସ୍କୋର କରିଥଲେ ଓଡ଼ିଶା ଏଫସିର ଅନ୍ତର୍ଜାତୀୟ ଖେଳାଳି ଭିନିତ ରାୟ। ଇଣ୍ଡିଆନ ସୁପରଲିଗ୍ରେ ଏହାଥିଲା ତାଙ୍କର ପ୍ରଥମ ଗୋଲ। ଏଥିରେ ଉତ୍ସାହିତ ହୋଇଥିବା ଭିନିତ ମୁମ୍ବାଇ ସିଟି ଏଫସି ବିପକ୍ଷ ମ୍ୟାଚକୁ ବ୍ୟଗ୍ରତାର ସହ ଅପେକ୍ଷା କରିଥିବା ପ୍ରକାଶ କରିଛନ୍ତି। ” ଷ୍ଟାଡିୟମରେ ଉପସ୍ଥିତ ରହି ଆମକୁ ଉତ୍ସାହିତ କରୁଥିବାରୁ ଓଡ଼ିଶାର ଦର୍ଶକଙ୍କୁ ପ୍ରଥମେ ଧନ୍ୟବାଦ ଜଣାଇବାକୁ ଚାହିଁବି। ଆମେ ଏଠାରେ କ୍ରମାଗତ ୨ଟି ମ୍ୟାଚ ଜିତିଛୁ। ଚଳିତ ସିଜନରେ ପୂର୍ବ ମ୍ୟାଚରେ ମୁମ୍ବାଇ ସିଟି ଏଫସିକୁ ହରାଇ ସାରିଛୁ। ଏବେ ଆଗାମୀ ମ୍ୟାଚ ଉପରେ ଆମେ ଦୃଷ୍ଟି ନିବଦ୍ଧ କରୁଛୁ। ବ୍ୟକ୍ତିଗତଭାବେ କଠିନ ପରିଶ୍ରମ କରି ଦଳକୁ ପ୍ଲେ-ଅଫ୍କୁ ନେବା ମୋର ଲକ୍ଷ୍ୟ“ ବୋଲି ଭିନିତ ପ୍ରକାଶ କରିଛନ୍ତି। ଭିନିତଙ୍କ ପରି ଡାନିଏଲ ଲାଲହଲିମ୍ପୁଇଆ ମଧ୍ୟ କଳିଙ୍ଗ ଷ୍ଟାଡିୟମ ପରିବେଶରେ ଆନନ୍ଦ ପ୍ରକାଶ କରିଛନ୍ତି। ”ଚେନ୍ନାଇନ୍ ଏଫସି ବିପକ୍ଷ ମ୍ୟାଚରେ ଦର୍ଶକମାନେ ଉପସ୍ଥିତ ରହି ଆମକୁ ଉତ୍ସାହିତ କରିବା ମୋତେ ଉଲ୍ଲସିତ କରିଥିଲା। ଉପହାର ସଦୃଶ ଆମେ ସେମାନଙ୍କୁ ବିଜୟ ଭେଟି ଦେଇଥିଲୁ। ମୁମ୍ବାଇ ସିଟି ଏଫସି ବିପକ୍ଷ ମ୍ୟାଚରେ ମଧ୍ୟ ଦର୍ଶକମାନେ ବହୁ ସଂଖ୍ୟାରେ ଆସିବେ ବୋଲି ମୁଁ ଆଶା ରଖିଛି। ଚଳିତ ସିଜନରେ ଭୁବନେଶ୍ୱରରେ ଆମେ ଆଉ ୪ଟି ମ୍ୟାଚ ଖେଳିବୁ। ତେଣୁ ଦର୍ଶକଙ୍କ ଉପସ୍ଥିତି ଆମକୁ ଉତ୍ସାହିତ କରିବା ଆଶା ରହିଛି“ ବୋଲି ସେ କହିଛନ୍ତି।