କରୋନା ମୁକାବିଲା ପାଇଁ ନିଆରା ଉପାୟ ଆପଣାଇଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ,୩।୬: କରୋନା ଭାଇରସ୍‌ ପ୍ରଥମ ଲହରରେ ଗ୍ରାମାଞ୍ଚଳ ସୁରକ୍ଷିତ ରହିଥିଲା କିନ୍ତୁ ଦ୍ୱିତୀୟ ଲହରରେ କରୋନା କାବୁରେ ରହିଛି ଗ୍ରାମାଞ୍ଚଳ। ପୂର୍ବରୁ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ଅତ୍ୟଧିକ ରହିଥିବା ବେଳେ ବର୍ତ୍ତମାନ ଗାଁଗୁଡ଼ିକରେ ସଂକ୍ରମଣ ଅଧିକ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ ଗାଁରେ ସଂକ୍ରମଣ ବ୍ୟାପିବାରୁ ରୋକିବା ପାଇଁ ମହାରାଷ୍ଟ୍ର ସରକାର ଏକ ନିଆରା ଉପାୟ ଆପଣାଇଛନ୍ତି। ସୂଚନା ମୁତାବକ ମେ’ ମାସରେ ମହାରାଷ୍ଟ୍ରର ୫ଟି ଛୋଟ ଗାଁକୁ ସ୍ବତନ୍ତ୍ର ଭାବେ କୋଭିଡ ମୁକ୍ତ ଗାଁର ମାନ୍ୟତା ଦିଆଯାଇଥିଲା। ଏହାପରେ କରୋନାକୁ ରୋକିବା ପାଇଁ ସରକାର ମହାରାଷ୍ଟ୍ରର ବିଭିନ୍ନ ଗାଁରେ ପ୍ରତିଯୋଗିତା କରାଇବାକୁ ବିଚାର କରିଛନ୍ତି। ଆଉ ଏହା ପାଇଁ ପ୍ରସ୍ତୁତି କରାଯାଉଛି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ହସନ ମୁଶରିଫ ଘୋଷଣା କରିଛନ୍ତି।