Ventilators are seen in a climate room of Hamilton Medical AG a plant in Domat/Ems, Switzerland March 18, 2020. REUTERS/Arnd Wiegmann
ନୂଆଦିଲ୍ଲୀ,୩୦।୩: ମହାମାରୀ କରୋନା ଭାଇରସ୍ ସହ ମୁକାବିଲା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସୋମବାର ଅଟୋମୋବାଇଲ୍ କମ୍ପାନୀକୁ ଭେଣ୍ଟିଲେଟର ତିଆରି କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଅଟୋମୋବାଇଲ କମ୍ପାନୀ ମଧ୍ୟ କାମ କରିବାକୁ ଆରମ୍ଭ କରିଦେଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଆଗାମୀ ୨ ମାସ ପର୍ଯ୍ୟନ୍ତ ଆଞ୍ଚଳିକ ନିର୍ମାତାଙ୍କ ସହ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ ମିଶି ୩୦ହଜାର ଭେଣ୍ଟିଲେଟର ତିଆରି କରିବ। ଏଥିରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ମଧ୍ୟ ସାମିଲ ଥିବା ଜଣାପଡ଼ିଛି। ସେହିପରି ନଏଡାର ଆଗ୍ରା ହେଲ୍ଥକେୟାରକୁ ଏକ ମାସ ଭିତରେ ୧୦ ହଜାର ଭେଣ୍ଟିଲେଟର ତିଆରି କରିବାକୁ ଅର୍ଡର ଦିଆଯାଇଥିବା ବେଳେ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ସେ ଏହାର ସପ୍ଲାଇ ଆରମ୍ଭ କରିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟୁଇଟ କରି ସୂଚନା ଦେଇଛନ୍ତି। ସୂଚନା ମୁତାବକ ଏବେ ଦେଶର ଭିନ୍ନ ଭିନ୍ନ ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ ୧୪ ହଜାରରୁ ଉର୍ଦ୍ଧ୍ୱ ଭେଣ୍ଟିଲେଟର ଉପଲବ୍ଧ ହୋଇଥିବା ଜଣାପଡ଼ିଛି। ଅପରପକ୍ଷେ ଡିଆର୍ଡିଓ ମଧ୍ୟ ଆସନ୍ତା ସପ୍ତାହରୁ ୨୦ ହଜାର ଏନ୍-୯୯ ମାସ୍କ ତିଆରି କରିବ ବୋଲି ସୂଚନା ମିଳିଛି।