କରୋନା ଭାଇରସ୍‌: ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୧୬

ନୂଆଦିଲ୍ଲୀ,୧୬।୩: କରୋନା ଭାଇରସ୍‌ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଭାରତରେ ଦିନକୁ ଦିନ ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ମହାରାଷ୍ଟ୍ରରେ ୫ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହା ସହିତ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ଦେଶର ୧୫ଟି ରାଜ୍ୟରେ ୧୧୬ଟି ସଂକ୍ରମିତ ମାମଲା ସାମ୍ନାକୁ ଆସିଥିବା ଜଣାପଡ଼ିଛି। ଅପରପକ୍ଷେ କରୋନା ସହ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ବିଭିନ୍ନ ସତର୍କତା ଅବଲମ୍ବନ କରୁଛନ୍ତି। ଏଥିପାଇଁ ଅଧିକାଂଶ ରାଜ୍ୟରେ ସ୍କୁଲ, କଲେଜ, ସିନେମା ହଲ୍‌, ମଲ୍‌କୁ ବନ୍ଦ ରଖାଯାଇଥିବା ବେଳେ ବିଭିନ୍ନ ସଭା ସମିତିକୁ ଯିବା ପାଇଁ ବାରଣ କରାଯାଇଛି। କରୋନା ସହ ମୁକାବିଲା ପାଇଁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍କ ଦେଶକୁ ଏକତ୍ରିତ ଭାବେ କାର୍ଯ୍ୟ କରିବା ସହ ଆକ୍ସନ ପ୍ଲାନ ତିଆରି କରିବା ପାଇଁ ଆହ୍ବାନ ଦେଇଥିଲେ। ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମିତ ହୋଇ ଏପର୍ଯ୍ୟନ୍ତ ୬ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତରେ ମୃତ୍ୟୁ ସଂଖ୍ୟା ୨ ହୋଇଛି।

Share